
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଅଲିପୁରଦ୍ୱାର ଓ କୁଚବିହାର ଜିଲ୍ଲାରେ ଗୁରୁବାର ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପର ବ୍ୟୟ 1010 କୋଟି ଟଙ୍କାରୁ ଅଧିକ। ଏହାର ଉଦ୍ଦେଶ୍ୟ ହେଉଛି 2.5 ଲକ୍ଷରୁ ଅଧିକ ଘରକୁ ପାଇପ ନ୍ୟାଚୁରାଲ୍ ଗ୍ୟାସ ପ୍ରଦାନ କରିବା। ଏହି ପ୍ରକଳ୍ପ ଦ୍ୱାରା 100 ରୁ ଅଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବେ।
ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରାୟ 19ଟି ସିଏନଜି ଷ୍ଟେସନ୍ର ସ୍ଥାପନା କରାଯିବ, ଯାହା ଦ୍ୱାରା ଯାନବାହନ ପାଇଁ ସିଏନଜିଉପଲବ୍ଧ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ କେବଳ ଏକ ସ୍ୱଚ୍ଛ ଓ ସୁରକ୍ଷିତ ଗ୍ୟାସ ଯୋଗାଣ ନିଶ୍ଚିତ କରିବ ନୁହେଁ, ବରଂ ଏହା ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି କରିବ।
ସେ କହିଛନ୍ତି ଯେ, ପଶ୍ଚିମବଙ୍ଗର ଉନ୍ନତି ହେଉଛି ଭାରତର ଭବିଷ୍ୟତର ମୂଳଦୁଆ । ଆଜି ସେହି ମୂଳଦୁଆରେ ଆଉ ଗୋଟିଏ ଶକ୍ତିଶାଳୀ ଇଟା ଯୋଡ଼ିବାର ଦିନ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ କେବଳ ଗ୍ୟାସ ପାଇପଲାଇନ୍ର କାମ ନୁହେଁ, ବରଂ ସରକାରଙ୍କ ଯୋଜନାମାନଙ୍କର ‘ଡୋରସ୍ଟେପ୍ ଡିଲିଭେରୀ’ ର ଗୋଟିଏ ଉତ୍ତମ ଉଦାହରଣ ଅଟେ।
ସେ କହିଛନ୍ତି ଯେ, ଅଲିପୁରଦ୍ୱାରର ଭୂମି ବିଭିନ୍ନ ସଂସ୍କୃତି ସହିତ ଜଡିତ । ଏହି ସମୃଦ୍ଧ ଭୂଭାଗରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭରୁ ଅଂଚଳର ବିକାଶ ହେବ ।