ଜୟପୁର- ବେଆଇନ କଫ୍ ସିରପକୁ ନେଇ ପଶ୍ଚିମ ଓଡିଶା ପରେ ଏବେ ଦକ୍ଷିଣ ଓଡିଶାରେ ଚଢ଼ାଉ ଆରମ୍ଭ ହୋଇଛି । ଜୟପୁରରେ ବିପୁଳ ପରିମାଣର ଏହି ସିରପ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । କୋରାପୁଟ ଡ୍ରଗ୍ସ ଇନ୍ସପେକ୍ଟର ଓ ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଛି ।
ବୁଧବାର ଭୋରରୁ ପୋଲିସ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ ତରଫରୁ ଜୟପୁରର ଗଣନାଥ ହୋମିଓପ୍ୟାଥି ଔଷଧ ଦୋକାନ ଓ ମାଲିକଙ୍କ ଘର ଉପରେ ମିଳିତ ଚଢ଼ାଉ ହୋଇଥିଲା । ଘରେ ବେଆଇନ ଭାବେ ଏହି ସିରପ ରଖିବା ଅଭିଯୋଗରେ ଔଷଧ ଦୋକାନ ମାଲିକଙ୍କୁ ଅଟକ ରଖିଛି ପୋଲିସ ।ଏହା ସହ ୨୦ ପେଟିରେ ଥିବା ୮୦୦ଟି ବୋତଲ ଔଷଧକୁ ଜବତ କରିଛି । ଚଢ଼ାଉ ବେଳେ ଏସବୁ ଔଷଧର ବିଲ୍ ଦୋକାନୀ ଦେଖାଇ ପାରିନଥିଲେ ବୋଲି କହିଛି ପୋଲିସ । ସେହିପରି ବିନା ଲାଇସେନ୍ସରେ ଘରେ ଏସବୁ ଔଷଧ ରଖାଯାଇଥିଲା ।
ଜୟପୁରର ଏହି ଗଣନାଥ ହୋମିଓପ୍ୟାଥି ଦୋକାନରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ସିରପ ବିକ୍ରି ପାଇଁ ଯାଉଥିଲା । ଏହି ସିରପରେ ୪୦ ପ୍ରତିଶତ ଆଲକହଲ ଥିବାରୁ ଏହା ବିଭିନ୍ନ ସ୍ଥାନରେ ନିଶା ପାଇଁ ଲୋକମାନେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ସବୁ ଔଷଧ ହୋମିଓପ୍ୟାଥିକ ଏବଂ ଏହି ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ଔଷଧ ଦୋକାନ ମାଲିକ । ତେବେ ଔଷଧ ଷ୍ଟକ ଅନୁସାରେ ବିଲ୍ ନଥିବା ଏବଂ ବେଆଇନ ଭାବେ ଘରେ ଏହା ମହଜୁଦ ରଖିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଔଷଧ ଜବତ କରି କାର୍ଯ୍ୟାନୁଷ୍ଠାନ ନେବା ସହ ତଦନ୍ତ ଚଳାଇଛି । କେଉଁ ସ୍ଥାନରୁ ଏ ସବୁ ଆସୁଥିଲା ଓ କେଉଁ ସବୁ ଯାଉଥିଲା ତାହାର ଖୋଳତାଡ କରୁଛି ପୋଲିସ ।
କେବଳ ପଶ୍ଚିମ ଓଡିଶା କି ଦକ୍ଷିଣ ଓଡିଶା ନୁହଁ , ସାରା ରାଜ୍ୟରେ ଏହି ସବୁ ସିରପ କମ ଦରରେ ମିଳୁଥିବାରୁ ଏହାକୁ ଲୋକେ ନିଶା ଭାବେ ବ୍ୟବହାର କରୁଛନ୍ତି । ତେଣୁ ବେଆଇନ ଭାବେ ଏହା ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ ବାଲି ସାଧାରଣରେ ଦାବି କରାଯାଇଛି ।