
ଜୟପୁର– କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ବିରୋଧରେ ବିଜେପି ଆଣିଲା ସଙ୍ଗୀନ ଅଭିଯୋଗ । ମଦ ଦୋକାନ ପିଛା ବିଧାୟକ ମାଗୁଛନ୍ତି ମାସିକ ଏକ ଲକ୍ଷ ଟଙ୍କା ବଟି । ବଟି ନ ଦେଲେ ଦୋକାନରେ ପକାଉଛନ୍ତି ତାଲା । କୋଟି କୋଟି ଟଙ୍କା ଠୁଳ କରିଛନ୍ତି । ଏଥିନେଇ ଭିଜିଲାନସ୍ ତଦନ୍ତ ଦାବି କରିଛି ବିଜେପି ।
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଥିବା ପ୍ରତି ମଦ ଦୋକାନରୁ ମାସିକ ୧ଲକ୍ଷ ଟଙ୍କା ବଟି ମାଗୁଛନ୍ତି ବିଧାୟକ । ମଦ ଦୋକାନୀ ବଟି ଦେବାକୁ ମନା କରିବାରୁ ଜୋର ଜବରଦସ୍ତି ଦୋକାନ ବନ୍ଦ କରିଦେଇଛନ୍ତି ବିଧାୟକ ବୋଲି ଅଭିଯୋଗ ହୋଇଛି । ଦୋକାନ ବନ୍ଦ କରାଯାଇଥିବାରୁ ଦୋକାନ ସମ୍ମୁଖରେ ଖୋଲା ଆକାଶ ତଳେ ରେ ବସି ରହିଛନ୍ତି ମଦ ଦୋକାନୀ ଓ କର୍ମଚାରୀ । ଲକ୍ଷ୍ମୀପୁର ବିଧାୟକ ବିରୋଧର ଥାନାରେ ଏତଲା ଦେଇଛନ୍ତି ମଧ୍ୟ ବ୍ୟବସାୟୀ ।
ଲକ୍ଷ୍ମୀପୁର ବିଧାୟକ ଟଙ୍କା ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଭାଟି ଗୁଡ଼ିକୁ ଜୋର୍ ଜବରଦସ୍ତି ବନ୍ଦ କରୁଛନ୍ତି । ବିଧାୟକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ନେତା ତଥା ମଦ ବ୍ୟବସାୟୀ ନାରାୟଣ ବିଶୋଇଙ୍କ ନେତୃତ୍ୱରେ ମଦ ବ୍ୟବସାୟୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଏପଟେ ଲକ୍ଷ୍ମୀପୁରରେ ବିଜେପି ସାମ୍ବାଦିକ ସମିଳନୀ କରି ବିଧାୟକ ଓ ତାଙ୍କ ସଂପର୍କୀୟମାନେ ବଟି ଆଦାୟ କରୁଛନ୍ତି । ବିଧାୟକ ହେବା ପରେ ୧୦ ମାସ ମଧ୍ୟରେ ବିପୁଳ ସମ୍ପତି କରିଛନ୍ତି ବୋଲି ବିଧାୟକ ପବିତ୍ର ସାଉନ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ କୈଳାସ କୁଲେସିକା। ଲାଇସେନ୍ସ ପ୍ରାପ୍ତ ମଦ ଦୋକାନକୁ ବିଧାୟକ ମାଗୁଛନ୍ତି ମାସିକ ଏକ ଲକ୍ଷ ଟଙ୍କା , ଚାନ୍ଦା ନ ଦେଲେ ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡ଼ିକୁ ବନ୍ଦ କରୁଛନ୍ତି । ଦୋକାନ ବନ୍ଦ କରିବାକୁ ବିଧାୟକ କିଏ ! ସରକାରୀ ଅନୁମତି ପ୍ରାପ୍ତ ମଦ ଭାଟିରେ କିଛି ଅସଙ୍ଗତ ଥିଲେ ପୋଲିସ, ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା କଥା । ତାହା ନ କରି ଆଇନକୁ ହାତକୁ ନେଇ ଟଙ୍କା ପାଇଁ ଅରାଜକତା ସୃଷ୍ଟି କରୁଛନ୍ତି ବିଧାୟକ ବୋଲି ବିଜେପି ଅଭିଯୋଗ କରିଛି ।
ବିଧାୟକ ଧମକ ଦେଇ ମାସିକ ବଟି ମାଗୁଥୁବା ନେଇ ମଦ ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ପାଇ ବିଧାୟକଙ୍କ ବିରୋଧରେ ପୋଲିସ ମାମଲା ଦରଜ କରିଛି । ଏଭଳି ଗୁରୁତର ଅଭିଯୋଗ କୌଣସି ଦଳର ବା ସାଧାରଣ ଲୋକେ ଆଣି ନାହାଁନ୍ତି । ଆଣିଛନ୍ତି ମଦ ବ୍ୟବସାୟୀ । ବିଧାୟକ ବଟି ମଗୁଥୁବା ଅଭିଯୋଗ ଘଟଣାର ସତ୍ୟତା ରହିଛି ବୋଲି ବିଜେପି ଦାବି କରିଛି ।
ମାମଲା ରୁଜୁ ହେବା ପରେ ବିଜେପି ଏକ ସାମ୍ବାଦିକ ସମ୍ମିଳନି କରି କହିଛି କି ବିଧାୟକ ଙ୍କ ଏପରି ଘୃର୍ଣ୍ୟ କାର୍ଯ୍ୟ ଯୋଗୁଁ ନିଜ ପଦବୀ ରୁ ଇସ୍ତଫା ଦିଅନ୍ତୁ ବୋଲି ଦାବୀ କରିଛନ୍ତି.। କେବଳ ସେତିକି ନୁହଁ ପୂର୍ବତନ ବିଧାୟକ କୈଳାଶ କୁଲେସିକା ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି କି ୧୧ ମାସ ଭିତରେ ସେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଛନ୍ତି, ଏମିତି ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଠାରୁ ପିସି ଆଦାୟକରୀ ବିଧାୟକ ଜଣକ କୋଟି ପତି ହୋଇଛନ୍ତି । ଗତକାଲି ଜଣେ ବିଧାୟକ ହିସାବରେ ଏପରି କାଣ୍ଡ କରିବା କଥା ନୁହଁ । କେବଳ ମାସିକ ବଟି ସକାଶେ ଏପରି କାର୍ଯ୍ୟ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ନାମକୁ ବଦନାମ କରିଛନ୍ତି। ତୁରନ୍ତ ତାଙ୍କୁ ଗିରଫ କରାନଗଲେ ବିଜେପି ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।ବିଧାୟକଙ୍କ ବାପା ଜଣେ ସରକାରଙ୍କ ଚତୃର୍ଥ ଶ୍ରେଣୀ କର୍ମଚାରୀ । ଏତେ କମ ଦିନରେ ସେ ଅନେକ ସମ୍ପତି ର ମାଲିକ ହୋଇଯାଇଛନ୍ତି । ତେଣୁ ଭିଜିଲାନ୍ସ ତଦନ୍ତ କରିବା ସକାସେ ଲକ୍ଷ୍ମୀପୁର ର ପୂର୍ବତନ ବିଧାୟକ ବିଜେପି ନେତା କୈଳାଶ ଚନ୍ଦ୍ର କୁଲେସିକା ଓ ମଣ୍ଡଳ ସଭାପତି ଅଜୟ ଖୋସଲା ଦାବି କରିଛନ୍ତି ।
ପ୍ରମାଣ ସ୍ୱରୂପ କୁଲେସିକାଙ୍କ ସହ ମଦ ବ୍ୟବସାୟୀଙ୍କ ବାର୍ତ୍ତାଳାପର ଏକ ଅଡିଓ ରେକର୍ଡ ମଧ୍ୟ ପ୍ରତିଫଳନ ହାତରେ ଲାଗିଛି । ଏହି ବାର୍ତ୍ତାଳାପ ରେ ବ୍ୟବସାୟୀ ଜଣକ ଲକ୍ଷ୍ମୀପୁର ବିଧାୟକ ମଦ ଭାଟି ମାଲିକଙ୍କୁ ଏକ ଲକ୍ଷ ଚାନ୍ଦା ଦାବୀ କରୁଥିବା ଏବଂ ମନା କରିବାରୁ ନିଜ ଅନୁଗତଙ୍କୁ ନେଇ ମଦ ଭାଟି ବନ୍ଦ କରିବା ସହ କେତେକ ସ୍ଥାନରେ ମଦ ଦୋକାନକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରିଥିବା ସେ କହିଛନ୍ତି । ଏଥିନେଇ ଥାନାର ଏତଲା ସହ୍ ଜିଲ୍ଲାପାଳ ଓ ଏସପିଙ୍କୁ ଜଣେଇବି ବୋଲି ସୂଚନା ଦେଇଛନ୍ତି । ଏହି ଅଡିଓ କ୍ଲିପ୍ ଏବେ ଲକ୍ଷ୍ମୀପୁର ଅଞ୍ଚଳରେ ଭାଇରାଲ ହେଉଛି ।
ବିଧାୟକ ବିଭିନ୍ନ ସ୍ଥାନରୁ ମାସିକିଆ ବଟି ଆଦାୟ କରୁଛନ୍ତି । ନିଜେ ସବୁ କରି ଚୁପ ରହି ଯାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛନ୍ତି । ସେହିପରି ପ୍ରଥମେ କମ୍ପାନୀକୁ ନାଲି ଆଖି ଦେଖାଇ ଲାଇଭ ଭିଡିଓ ଜରିଆରେ ନିଜର ଷ୍ଟଣ୍ଟ ଦେଖେଇଲେ। ଡିଲ ହେବା ପରେ ପାଟି ବନ୍ଦ କରିଦେଲେ । ସିଂଗା ରାମ ରେଳ ଷ୍ଟେସନ ନିକଟରେ ବକ୍ସାଇଟ ଡମ୍ପିଙ୍ଗ ୟାର୍ଡ କରିବାକୁ ନେଇ ଲୋକଙ୍କୁ ଧରି ବିରୋଧ କଲେ। ପରେ ପତି ବନ୍ଦ କରି ଚୁପ୍ ରହିଗଲେ ।ବିରୋଧରେ ସାମିଲ ହୋଇଥିବା ସ୍ଥାନୀୟ ଲୋକେ ଜେଲ ଗଲେ ।
ବିଧାୟକଙ୍କ ଗୋଟାଏ ପରେ ଗୋଟାଏ କାରନାମା ପଦାକୁ ଆସିଗଲା ବୋଲି ଲକ୍ଷ୍ମୀପୁରର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ବୋଲି ବିଜେପି କହିଛି ।
ଅପରପକ୍ଷେ ଚାନ୍ଦା ମାଗିବା ଅଭିଯୋଗଙ୍କୁ ବିଧାୟକ ପବିତ୍ର ସାଉନ୍ତା ଖଣ୍ଡନ କରିଛନ୍ତି । ବଟି ମାଗିବା ଓ ନେବା ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଲୋକଙ୍କ ଅଭିଯୋଗ ପାଇ ମଦ ଦୋକାନକୁ ବନ୍ଦ କରିଛି ବୋଲି କହିଛନ୍ତି । ଅଞ୍ଚଳରେ ମଦ ବିକ୍ରି ବନ୍ଦ ନେଇ ଅବକାରୀ ମନ୍ତ୍ରୀ ,କମିଶନର , ଜିଲ୍ଲାପ୍ରଶାସନ ଓ ଅବକାରୀ ବିଭାଗକୁ ଜଣାଇଛି । କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଫଳରେ ଲୋକଙ୍କ ସମର୍ଥନରେ ମଦ ଦୋକାନରେ ତାଲା ପକା ଯାଇଛି । ଆଗମୀ ଦିନରେ ଏ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯିବ । ବଟି ମାଗିବା ନେଇ ସେ କହିଛନ୍ତି ଯେ କିଏ କେତେବେଳେ ବଟି ମାଗିଲା ତାର ଯାଞ୍ଚ ହେଉ । ସତ୍ୟତା ଜଣାପଡ଼ିବ ବୋଲି କହିଛନ୍ତି ବିଧାୟକ ସାଉନ୍ତା। ଅନ୍ୟାୟ ବିରୋଧରେ ମୋର ସଂଗ୍ରାମ ରହିବ ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିର ଚାରୋଟି ବ୍ଲକ ରେ ରହିଥିବା ସାତଟି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରହିଛି । ସେସବୁକୁ ଦୋକାନକୁ ବିଧାୟକ ପବିତ୍ର ସାଉଁତା ଚାବି ପକାଇ ବନ୍ଦ କରିଥିଲେ।ବିଭିନ୍ନ ଆଳ ଦେଖାଇ ବିଧାୟକ ମଦ ଦୋକାନ କୁ ବନ୍ଦ କରିଥିବା ବେଳେ ମଦ ବ୍ୟବସାୟୀ ମାନେ ଗତକାଲି ହିଁ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କୁ ବିଧାୟକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ବିଧାୟକ ଜଣକ ମାସିକ ଏକ ଲକ୍ଷ ଟଙ୍କା ଲେଖାଏଁ ମଦ ଦୋକାନକୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିବା ବେଳେ ବିଧାୟକ ପବିତ୍ରଙ୍କ ନାମରେ ୫ଟି ଥାନାରେ ମାମଲା ରୁଜୁ ହୋଇଛି ବୋଲି ଲକ୍ଷ୍ମୀପୁର ଏଡିପିଓ ସୂଚନା ଦେଇଛନ୍ତି।
ଘଟଣା ସମ୍ପର୍କରେ କୋରାପୁଟ ଜିଲ୍ଲାପାଳଙ୍କୁ ପଚାରିବାରେ ଏହି ପ୍ରସଂଗ ସମ୍ପର୍କରେ ଅବଗତ ଅଛୁ ଏବଂ ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି । ଜିଲ୍ଲାପାଳ ଙ୍କ ନିଦ୍ଦେଶ କ୍ରମେ ମାଜିଷ୍ଟେଟ ଉପସ୍ଥିତି ରେ ବିଧାୟକ ତାଲା ପକାଇଥିବା ମଦ ଦୋକାନ ର ତାଲା ଖୋଲାଯାଇଛି।