
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦୁଇ ଦିନ ମଧ୍ୟରେ ଚାରି ରାଜ୍ୟକୁ ଗସ୍ତ କରିବେ ଏବଂ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେ ସିକ୍କିମ୍, ପଶ୍ଚିମବଙ୍ଗ, ବିହାର ହୋଇ ଉତ୍ତର ପ୍ରଦେଶକୁ ଯିବେ।
ପ୍ରଧାନମନ୍ତ୍ରୀ ଗୁରୁବାର ସିକ୍କିମ୍ ଗସ୍ତ କରିବେ। ସେ ସକାଳେ ‘ସିକ୍କିମ୍ ୫୦: ଯେଉଁଠି ପ୍ରଗତି ଉଦ୍ଦେଶ୍ୟରୁ ମିଳିଥାଏ ଓ ପ୍ରକୃତି ବିକାଶକୁ ପ୍ରୋତ୍ସାହନ ଦେଇଥାଏ’ କାର୍ଯ୍ୟକ୍ରମରେ ସାମିଲ ହେବେ । ସେ ସିକ୍କିମ୍ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି, ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବେ।
ଏହାପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିବେ। ସେଠାରେ ସେ ଦ୍ୱିପ୍ରହରରେ ଅଲିପୁରଦ୍ୱାରରେ ଏବଂ କୁଚବିହାର ଜିଲ୍ଲାରେ ସିଟି ଗ୍ୟାସ ବଣ୍ଟନ ପ୍ରକଳ୍ପର ଆଧାରଶିଳା ରଖିବେ। ପ୍ରଧାନମନ୍ତ୍ରୀ ବିହାର ମଧ୍ୟ ଗସ୍ତ କରିବେ ଏବଂ ସନ୍ଧ୍ୟାବେଳେ ପାଟନା ବିମାନବନ୍ଦରର ନୂତନ ଟର୍ମିନାଲ୍ ଭବନର ଉଦ୍ଘାଟନ କରିବେ। ପରଦିନ ମେ ୩୦ରେ ବିହାରର କାରାକାଟରେ ସକାଳେ ପ୍ରଧାନମନ୍ତ୍ରୀ ୪୮,୫୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ନିର୍ମିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ଗସ୍ତ କରିବେ, ଯେଉଁଠାରେ ସେ ଦ୍ୱିପ୍ରହର ବେଳେ କାନପୁର ନଗରରେ ପ୍ରାୟ 20,900 କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିବେ।