ଘଟଗାଁ – କେନ୍ଦୁଝର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପରିଚାଳିତ ଘଟଗାଁ ବ୍ଲକ ଅନ୍ତର୍ଗତ ଦେହୁରୀପଶି ସେବାଶ୍ରମ ବିଦ୍ୟାଳୟର ପିଛା ଛାଡୁନି ସମସ୍ୟା । ଏହି ସେବାଶ୍ରମରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୬୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିମଧ୍ୟରୁ ୩୩୫ ଜଣ ବାଳକ ଓ ୧୮୬ ଜଣ ବାଳିକା । ତନ୍ମଧ୍ୟରୁ ୩୧୭ ଜଣ ବାଳକ ଓ ୧୩୧ ଜଣ ବାଳିକା ମୋଟ୍ ୪୪୮ ଅନ୍ତେବାସୀ । ଏମାନଙ୍କ ଖାଦ୍ୟ, ପୋଷାକପତ୍ର, ପାଠ୍ୟ ଉପକରଣ ଆଦି ବାବଦ ଖର୍ଚ୍ଚ ସରକାର ବହନ କରୁଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ପାଇଁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହୋଇଛନ୍ତି । ଅନ୍ତେବାସୀଙ୍କ ଖାଦ୍ୟ ରୋଷେଇ କରିବାକୁ ରୋଷେୟା, ଜଗୁଆଳି, ପିଅନ ୮ଜଣ ରୁ ୬ଜଣଙ୍କୁ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି ।
ଦୁଃଖ ଓ ପରିତାପର ବିଷୟ, ବିଭାଗ ପକ୍ଷରୁ ୧୯୫୦ ରେ ଆଶ୍ରମ ସ୍କୁଲ ସ୍ଥାପନ ହୋଇଥିବା ବେଳେ ୧୯୮୬ରେ ସେବାଶ୍ରମରେ ପରିଣତ ହୋଇଥିଲେ ସୁଧା ସମସ୍ୟାର ସମାଧାନ ହୋଇପାରିନାହିଁ । କ୍ବାର୍ଟର୍ ଅଭାବରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ୪୦୵୫୦ କିଲୋମିଟର ଦୂରତାରୁ ଯିବାଆସିବା କରୁଛନ୍ତି । ଏତଦ ବ୍ୟତୀତ ଶିକ୍ଷକମାନଙ୍କର ବାସଗୃହ ପୁରୁଣା ହୋଇ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିଲେ ସୁଦ୍ଧା ତାହାର ମରାମତି ହୋଇପାରୁନାହିଁ । ସେହିପରି ପାଣି ସମସ୍ୟାକୁ ଏଡାଇବା ପାଇଁ ଓଭରହେଡ ଟାଙ୍କି, ଛାତ୍ରଛାତ୍ରୀ ବସି ଭୋଜନ କରିବାକୁ ଡାଇନିଂ ହଲ୍ ଆଦିର ଆବଶ୍ୟକତା ରହିଛି ।ସେବାଶ୍ରମରେ ଏସବୁ ସମସ୍ୟା ଲାଗିରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନଙ୍କ ଦରମା ନିୟମିତ ନମିଳିବାରୁ ପରିବାର ଭରଣ ପୋଷଣରେ ବ୍ୟାଘାତ ଘଟୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏନେଇ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।