
ଭୁବନେଶ୍ୱର– ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଏହି ବର୍ଷ ପୂର୍ତି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଜୁନ୍ ୪ରୁ ୧୪ ତାରିଖ ଯାଏ ରାଜ୍ୟ ସରକାର ବର୍ଷ ପୂର୍ତି ପାଳନ କରିବେ। ଠିକ୍ ସେହିପରି ରଥଯାତ୍ରା ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମସ୍ତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୀତି ଆୟୋଗଙ୍କ ବୈଠକ ଅବସରରେ ସମସ୍ତଙ୍କୁ ରଥଯାତ୍ରାରେ ପୁରୀ ଆସବାକୁ ବିନମ୍ର ଅନୁରୋଧ କରାଯାଇଛି। ଜୁନ୍ ୨୭ ତାରିଖ ଶୁକ୍ରବାର ଦିନ ଏଥର ତିନିଠାକୁର ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଦିବ୍ୟଲୀଳା ଦେଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।