
ଜୟପୁର– ବର୍ଷ ପରେ ବର୍ଷ ବିତୁଛି, ତଥାପି ସରୁନି ମେଗା ଜଳ ପ୍ରକଳ୍ପ ନିର୍ମାଣ କାମ । ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଂଚିବ ଏଥିପାଇଁ ଆରମ୍ଭ ହୋଇଥିଲା ମେଗା ଜଳ ପ୍ରକଳ୍ପ ନିର୍ମାଣ କାମ । ଏକ ଘରୋଇ କଂପାନୀ ଏହାର ଠିକା ନେଇଥିବା ବେଳେ ପାଂଚ ବର୍ଷ ବିତିଲା ତଥାପି ଆଜି ପର୍ଯ୍ୟନ୍ତ ସରିଲା ନାହିଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଯାହାକୁ ନେଇ ବଢୁଛି ଜନ ଅସନ୍ତୋଷ । ଏନେଇ ଆନ୍ଦୋଳନ ଚେତାବନୀ ଦେଇଛି ସରପଂଚ ସଂଘ । ଘରେ ଘରେ ପହଂଚିବ ପାଣି ।ଲୋକଙ୍କର ଜଳ ସଙ୍କଟ ଦୂର ହେବ । ଏହି ଲକ୍ଷ୍ଯ ନେଇ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ୧୮ ଟି ପଂଚାୟତର ୨୮୨୫୦ ପରିବାର ପାଇଁ ମହୁଲି ପଂଚାୟତର ପେଟା ଘାଟିରେ ମେଗା ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ୧୬୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ଆରମ୍ଭକୁ ପାଂଚ ବର୍ଷ ବିତିଲା ତଥାପି ଆଜି ପର୍ଯ୍ୟନ୍ତ କାମ ସରିଲା ନାହିଁ । କେଉଁଠି ଟାଙ୍କି କାମ ଅଧା ନିର୍ମାଣ ହୋଇଛି ତ ଆଉ କେଉଁଠି ପମ୍ପ ଗୃହ କାମ ଅଧପନ୍ତରିଆ ହୋଇ ପଡିରହିଛି । ପାଣି ଯାଂଚ୍ କାମ ମଧ୍ୟ ଆଜି ପର୍ଯ୍ୟନ୍ତ ସରିପାରିଲା ନାହିଁ, ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କେବେ ମିଳିବ ବିଶୁଦ୍ଧ ପାଣି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଲୋକେ । ବୈପାରୀଗୁଡା ବ୍ଲକର ବିଭିନ୍ନ ପଂଚାୟତରେ ପାନୀୟ ଜଳ ସମସ୍ୟା ରହିଛି । ଅଧିକାଂଶ ଗାଁ ରେ ପାନୀୟ ଜଳର ସୁବିଧା ନ ଥିବାରୁ କିଏ ନଦୀରୁ ପାଣି ଆଣୁଛି ତ ଆଉ କିଏ ଚୁଆରୁ ଗୋଳିଆ ପାଣି ଆଣୁଛି । ଦୂଷିତ ପାଣି ପିଇ ଅନେକ ଲୋକ ବିଭିନ୍ନ ରୋଗରେ ପଡୁଛନ୍ତି । ଏନେଇ ବ୍ଲକର ସମସ୍ତ ସରପଂଚ ଏବଂ ଜିଲ୍ଲା ପରିଷଦ ସଭ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବୈପାରୀଗୁଡା ସରପଂଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ମଧ୍ୟ ଦିଆଯାଇଛି । ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସରପଂଚ ସଂଘ ସଭାପତି । ଟେଣ୍ଡର ଅନୁସାରେ, ସେପ୍େଟମ୍ବର ୨୦୨୨ ସୁଦ୍ଧା ନିର୍ମାଣ କାର୍ଯ୍ୟ ସରିବା ସହ ଜଳ ଯୋଗାଣ ହେବାର ଲକ୍ଷ୍ୟ ଥିଲା । ବ୍ଲକର ମୋଟ ଏକ ଲକ୍ଷ ୩୫ ହଜାର ଲୋକଙ୍କ ପାଇଁ ୧୭ଟି ଟାଙ୍କି ନିର୍ମାଣ ହେବାକୁ ଥିବାବେଳେ ଦଶଟି ଟାଙ୍କି କାମ ସାରିଛି ଆଉ ସାତୋଟି ଟାଙ୍କି ନିର୍ମାଣ କାମ ସରିନି । ଘର ଘର ପାଇପ ବିଛେଇବା କାମ ମଧ୍ୟ ଶେଷ ହୋଇନାହିଁ । ଯେଉଁଥିପାଇଁ ପାନୀୟ ଜଳ ଯୋଗାଣକୁ ନେଇ ଅଂଚଳବାସୀ ଚିନ୍ତାରେ ରହିଛନ୍ତି ।