
ଜୟପୁର– ମୌଳିକ ସୁବିଧାରୁ ବଂଚିତ ଉପାନ୍ତ ଗାଁ । ଅନ୍ଧାର ରାତିରେ କଟୁଛି ଜୀବନ । ପାନୀୟ ଜଳ ପାଇଁ ଚାଲିବାକୁ ପଡୁଛି ମାଇଲିଏ ବାଟ । ରୋଗୀଙ୍କ ପାଇଁ ଯୋଗାଡ କରିବାକୁ ପଡୁଛି ଚାରି କାନ୍ଧ । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ପଂଚାୟତର କସି ପଦର ଓ ରାଇଲି ପଦର ଗାଁ ର । ଉଭୟ ଗାଁ ପଂଚାୟତ ସଦର ମହକୁମା ଠାରୁ ୭ କି.ମି. ଦୂରରେ ଅବସ୍ଥିତ କସି ପଦର ଗାଁ । ଏହି ଗାଁ ରେ ୩୫ ପରିବାର ବସବାସ କରନ୍ତି । ପଂଚାୟତ ଠାରୁ ପିଣ୍ଡାପଦର ପର୍ଯ୍ୟନ୍ତ ରାସ୍ତା ଅଛି । ପିଣ୍ଡା ପଦର ଠାରୁ ୩ କିଲୋମିଟର ଚାଲି ଚାଲି ଗଲେ ପଡେ କସି ଭଟା ଗାଁ । ପିଣ୍ଡପଦର ଠାରୁ ଅନ୍ୟ ଏକ ରାସ୍ତା ଦେଇ ୭ କି.ମି. ଚାଲି ଚାଲି ଗଲେ ପଡେ ରାଇଲି ପଦର ଗାଁ । ରାଇଲି ପଦର ଗାଁ ରେ ୨୫ ପରିବାର ବାସ କରନ୍ତି । ଏହି ଦୁଇ ଗାଁ ରେ ପାଣିର ସୁବିଧା ନାହିଁ । ଦୂରରେ ଥିବା ଚୁଆ ପାଣି ହିଁ ଏମାନଙ୍କ ଭରସା । ଦୁଇ ଗାଁରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନି । ପ୍ରଶାସନ ତରଫରୁ ସୋଲାର ଲାଇଟ ଲାଗିଥିଲେ ବି ଅନେକ ଲାଇଟ ଅଚଳ । ଗାଁ ରେ ଶିକ୍ଷା ସ୍ୱାସ୍ଥ୍ୟ ସେବା ଅପହଂଚ । ରାସ୍ତା ନଥିବାରୁ ରୋଗୀ ୩/୪ କିଲୋମିଟର ଖଟିଆରେ ବୁହା ହୁଅନ୍ତି । ରାସ୍ତା ନଥିବାରୁ ଏଠି ସରକାରୀ ଯୋଜନା ହେଉଛି ବାଟବଣା । ଲୋକଙ୍କୁ ଜୀବିକା ନଥିବାରୁ ପାହାଡିଆ ମାଣ୍ଡିଆ ଚାଷ କିମ୍ବା ଜଙ୍ଗଲୀ ଜାତ ଦ୍ରବ୍ୟ ସଂଗ୍ରହ କରି ସେଥିରେ ଗୁଜୁରାଣ ମେଂଟାନ୍ତି ଏମାନେ । ଗାଁ ର ଚିତ୍ର ଦେଖିଲେ ଲାଗୁଛି ଯେମିତି ଅନ୍ଧାର ରାତିର ନିର୍ଜନତାରେ ହଜି ଯାଇଛି ଏହି ଗ୍ରାମବାସୀଙ୍କ କୋହ, ଆଶା ଓ ସବୁ ସପ୍ନ । ଉଭୟ ଦୁଇ ଗାଁ ସ୍ଥାପନ ହୋଇକି ବିତି ଗଲାଣି ପ୍ରାୟ ୩୦ ବର୍ଷ ତଥାପି ଏମାନଙ୍କୁ ମିଳିନାହିଁ ସରକାରୀ ସୁବିଧା । ନା ଗାଁ ରେ ଅଛି ପିଇବା ପାଣିର ବ୍ୟବସ୍ଥା ନା ଗାଁ ଯିବାକୁ ଅଛି ପକ୍କା ରାସ୍ତା ନା ଅଛି ଘରେ ଭିତରେ ବିଜୁଳି ଆଲୁଅ । ଦୁଇ ଗାଁ କୁ ଦୁଇ ବର୍ଷ ତଳେ ସୋଲାର ଲାଇଟ ଲାଗିଥିଲେ ବି ଅନେକ ଲାଗୁନି । ଫଳରେ ନିଜ ନିଜ ସକ୍ଷମ ଅନୁଯାଇ ନିଜେ ଚାର୍ଜ ଲାଇଟ ଯୋଗାଡ଼ କରିଛନ୍ତି । ଭଗବାନଙ୍କ ଭରସାରେ ପାହାଡ କୋଳରେ କଟୁଛି ଏମାନଙ୍କ ଜୀବନ । ସବୁଠାରୁ ବଡ ଦୁଃଖର କଥା, ଏମାନଙ୍କ ପାଖରେ ଆଜିବି ଗୁହାରି ଶୁଣିବା ପାଇଁ ପହଂଚିଲେ ନାହିଁ ସରକାରୀ ବାବୁ । ବର୍ତମାନ ନିଜ ଦୁଃଖ ଓ କଷ୍ଟକୁ ମନ ଭିତରେ ଚାପି ଏମାନେ ବର୍ତମାନ କୋହଭରା କଣ୍ଠରେ ଗୁହାରି କରିଛନ୍ତି କି ଦୀର୍ଘ ୩୦ ବର୍ଷର ଅପେକ୍ଷାର ଏଥର ହେବ ଅନ୍ତ ଆଉ ବଦଳିବ ସେମାନଙ୍କ ବାସ୍ତବ ଚିତ୍ର ।
ରାଜ୍ୟର ଉପାନ୍ତ ଅଂଚଳର ବଦଳିଲା ନାହିଁ ଚିତ୍ର । ଆଜି ବି କୋରାପୁଟ ଜିଲ୍ଲାରେ ରହିଛି ମାଳ ମାଳ ଦୁର୍ଗମ ଗାଁ ଯେଉଁଠି ସରକାରୀ ବାବୁଙ୍କ ପାଦ ବି ପଡିନାହିଁ । ଯାହା ଫଳରେ ଆଜି ବି ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବାରୁ ବଂଚିତ ଏହି ସବୁ ଦୁର୍ଗମ ଗାଁର ନିରୀହ ଆଦିବାସୀ ।