
-
ଆକ୍ରମଣକାରୀକୁ ତୁରନ୍ତ ଗିରଫ ଦାବି କଲା ଷ୍ଟେଟ୍ ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟ ଓ ଜିଲ୍ଲା ସାମ୍ବାଦିକ ସଂଘ
ବଲାଙ୍ଗିର– ଭିଜୁଆଲ ମିଡିଆ ‘ବଡ ଖବର’ ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ବିଜୟ ପ୍ରଧାନଙ୍କ ଉପରେ କିଛି ଗୁଣ୍ଡା ଶ୍ରେଣୀୟ ଠିକାଦାରଙ୍କ ଆକ୍ରମଣ ବିରୁଦ୍ଧରେ ଆଜି ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ, ବଲାଙ୍ଗୀର ଶାଖା ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବଲାଙ୍ଗୀର ଏସପିଙ୍କୁ ପୃଥକ ଭାବରେ ଦାବିପତ୍ର ପ୍ରଦାନ କରାଯାଇଛି l ଏସପିଙ୍କ ଅନୁପସ୍ଥିତିରେ ଏଡ଼ିସନାଲ୍ ଏସ୍.ପି ଆଲୋକ ଜେନା ଏହି ଦାବିପତ୍ର ଗ୍ରହଣ କରିଥିଲେ l
ସୂଚନାରୁ ପ୍ରକାଶ ଯେ, ଗତକାଲି ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା କୁଲଥିପାଲି ଗାଁ ରେ ଏକ ଗାର୍ଡ ୱାଲ୍ କାମରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ସେହି ଗାଁ କୁ ଯାଇଥିଲେ ବିଜୟ ପ୍ରଧାନ l ଘଟଣାସ୍ଥଳରେ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ସମ୍ପୃକ୍ତ କାମରେ ନିୟୋଜିତ ଠିକାଦାର ଗଜେନ୍ଦ୍ର ଦଳେଇ ଓ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ସାମ୍ବାଦିକ ବିଜୟ ପ୍ରଧାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ l ଏପରିକି ସାମ୍ବାଦିକ ଶ୍ରୀ ପ୍ରଧାନଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ କରିଥିଲେ l ବିଜୟଙ୍କୁ ନିସ୍ତୁକ ମାଡ ମାରିବା ସହ ଆଗକୁ ଏପରି ଖବର କଲେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ l ଏନେଇ ଗତକାଲି ସାମ୍ବାଦିକ ବିଜୟ ପ୍ରଧାନ ପୁଇଁତଳା ଥାନାରେ ଅଭିଯୋଗ କରିଥିବା ବେଳେ ଦୋଷୀ ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ l ପରେ ଏଡ଼ିସନାଲ୍ ଏସପି ଆଲୋକ ଜେନା ସାମ୍ବାଦିକ ମାନଙ୍କୁ ବୁଝାସୁଝା କରି ଦାବିପତ୍ର ଗ୍ରହଣ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ସାମ୍ବାଦିକ ମାନେ ଧାରଣାରୁ ଓହ୍ଲାଇ ଥିଲେ l
ଏହି ଦାବିପତ୍ର ପ୍ରଦାନ ସମୟରେ ଏସ.ୟୁ.ଜେ. ବଲାଙ୍ଗୀର ଶାଖାର ସଭାପତି ଶରତ ମହାକୁର, ସମ୍ପାଦକ ରଘୁ ନନ୍ଦନ ସିଂହ, ଏସ.ୟୁ.ଜେ. ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ରାଜ୍ୟ ଉପଦେଷ୍ଟା ଗୋପବନ୍ଧୁ ସତପଥୀ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ, ଜିଲ୍ଲା ସାମ୍ୱାଦିକ ସଂଘ ଉପ ସଭାପତି ବଳରାମ ମିଶ୍ର, ଆନନ୍ଦ ସାହୁ, ଶେଖ ମହମ୍ମଦ ୱାହିଦ, ରାଧାକୃଷ୍ଣ ମିଶ୍ର, ଚିତ୍ରସେନ ବେହେରା, ପବନ ବଂଶଲ, ସାନୁଜ ମିଶ୍ର, ବଣ୍ଟି ମିଶ୍ର, ମହେନ୍ଦ୍ର ପ୍ରଧାନ, ଗୁପ୍ତେଶ୍ଵର ପୃଷ୍ଟି, ନୂତନ ମିଶ୍ର, ସଚିଦାନନ୍ଦ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ l