
ଭୁବନେଶ୍ୱର– ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଜନନେତା, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀଳମଣି ରାଉତରାୟଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ୱର ଏ.ଜି. ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଜନନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ, ପୂର୍ବତନ ବିଧାୟକ, ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥଲେ।
ଜୟନ୍ତୀ କମିଟିର ଆବାହକ ରବି ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଅମର ପ୍ରସାଦ ଶତପଥୀ, ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ଚନ୍ଦ୍ରସାରଥୀ ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରଶାନ୍ତ ଜଗଦେବ, ଅନନ୍ତ ନାରାୟଣ ଜେନା, ବାବୁ ସିଂ, ପୂର୍ବତନ ବିଧାୟକ ରବି ନାରାୟଣ ପାଣି, ସୁବର୍ଣ୍ଣ ନାୟକ, ରାଧାକାନ୍ତ ସେଠି, ବିଷ୍ଣୁପଦ ରାଉତରାୟ, ଅଂଶୁମାନ ମହାନ୍ତି, ରୁଦ୍ର ପ୍ରତାପ ମହାରଥୀ, ବରିଷ୍ଠ ବିଜେଡ଼ି ନେତା ଅରୁପ ପଟ୍ଟନାୟକ, ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, କଂଗ୍ରେସ ନେତା ଅସିତ ପଟ୍ଟନାୟକ, ସିଦ୍ଧାର୍ଥ ଦାସ, ନାରୀନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ସଞ୍ଜୁଲତା ମହାନ୍ତି, କର୍ପୋରେଟର ଅମରେଶ ଜେନା, ଯୁବନେତା ଉମାଶଙ୍କର ମିଶ୍ର, ଲକ୍ଷ୍ମୀଧର ବେହେରା, କିଶୋର ଗିରି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଶ୍ରୀ ରାଉତରାୟ ଛାତ୍ର ଜୀବନରୁ ବ୍ରିଟିଶ ବିରୋଧୀ ମହାସଂଗ୍ରାମର ନେତୃତ୍ୱ ନେଇଥିଲେ। ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ଅନ୍ୟ ସହପାଠୀମାନଙ୍କ ସହିତ ମିଶି ୟୁନିୟନ ଜ୍ୟାକ୍ ପତାକାକୁ ହଟାଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ବ୍ରିଟିଶ ସରକାର ବିରୋଧରେ ସଂଗ୍ରାମକୁ ତେଜିୟାନ କରିଥିଲେ। ସ୍ୱାଧୀନତ୍ତୋର ଭାରତବର୍ଷରେ ଅବହେଳିତ, ନିଷ୍ପେସିତ ଜନତାଙ୍କ ପ୍ରିୟ ଜନନେତା ଭାବରେ କାର୍ଯ୍ୟ କରିବା ସହ ସେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟମନ୍ତ୍ରୀ ପଦବୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ସତ୍ତ୍ୱେ ଗର୍ବ ଅହଙ୍କାର ତାଙ୍କୁ ସ୍ପର୍ଶ କରିପାରି ନଥିଲା। ପ୍ରଦେଶ କଂଗ୍ରେସ କମିଟିର ସଭାପତି, ଜନତା ପାର୍ଟିର ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବରେ ତାଙ୍କର ଅନେକ ଜନହିତକର ପଦକ୍ଷେପ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଥିଲା। ସେ ଓଡ଼ିଶା ରାଜନୀତିର ଜଣେ ସଫଳ ଓ ମୂଲ୍ୟବୋଧ ସମ୍ପର୍ଣ୍ଣ ରାଜନେତା ଥିଲେ। ଆଜିର ଯୁବପିଢି ତାଙ୍କର ଆଦର୍ଶ ଓ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇପାରିଲେ ତାହା ଏହି ମହାନ୍ ଜନ ନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ତାଙ୍କର ପରିବାରର ସଦସ୍ୟବୃନ୍ଦ ଓ ଶତାଧିକ ଶୁଭେଚ୍ଛୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।