-
ଚାଷୀଙ୍କ ଠାରୁ କିଣିଲେ ଅଧିକ ୩.୫ ଲକ୍ଷ କୁଇଂଟାଲ ଧାନ
ଜୟପାଟଣା- ମୁଖିଗୁଡ଼ା ନିୟନ୍ତ୍ରିତ ବଜାର କମିଟି ପରିସରରେ ଆସୁଥିବା ଜୟୟପାଟଣା, କଲମପୁର ଓ କୋକସରା ବ୍ଳକ୍ ରେ ଗତ ୨୦୧୮-୧୯ କୃଷି ବର୍ଷରେ ମୋଟ ୧୧,୨୪,୮୨୧.୮୬ କୁଇଂଟାଲ ଧାନ କିଣା ଯାଇଥିବା ବେଳେ ଚଳିତ ଖରିଫ ରେ ଅଦ୍ୟାବଧି ୧୪,୭୪,୧୫୭.୭୦ କୁଇଂଟାଲ ଧାନ କିଣା ସରିଲାଣି । ଅର୍ଥାତ୍ ଗତ ବର୍ଷ ତୁଲନାରେ ମୋଟ୍ ୩,୪୯,୩୩୫.୮୪କୁଇଂଟାଲ ଧାନ ଅଧିକ କିଣା ଥିବା ଜଣାପଡ଼ିଛି । ସେହିପରି ଜୟପାଟଣା ବ୍ଳକ୍ ୯୫୧୫ ଜଣ ଚାଷୀଙ୍କ ଠାରୁ ୬,୬୭,୯୮୮.୩. କଲମପୁର ବ୍ଳକ୍ ର ୫୦୪୫ ଜଣ ଚାଷୀଙ୍କ ଠାରୁ ୩,୬୨,୧୩୮.୫୩ ଓ କୋକସରା ବ୍ଳକ୍ ର ୭୪୮୧ ଜଣ ଚାଷୀଙ୍କ ଠାରୁ ୪,୬୮,୧୮୭.୯୨ କୁଇଂଟାଲ ଧାନ କିଣା ସରିଥିବା ଜଣାପଡିଛି ।
ଏହିସବୁ ସତ୍ୱେ ମୁଖିଗୁଡ଼ା ଆର୍.ଏମ୍.ସି. ପରିଧିରେ ୪୯ଟି ମଣ୍ଡି ଖୋଲି ଧାନକ୍ରୟ ଆରମ୍ଭ କରାଯାଇଥିଲେ ବି ୭ଟି ମଣ୍ଡି ଛାଡ଼ିଦେଲେ ଅନ୍ୟ ସମସ୍ତ ମଣ୍ଡିରେ ଉଣା ଅଧିକ ଚାଷୀମାନଙ୍କ ପାଖରେ ଧାନ ବିକ୍ରି ନହୋଇ ଟୋକନ୍ ଅଭାବରୁ ପଡ଼ି ରହିଥିବା ଅଭିଯୋଗ ଆସୁଛି । ପ୍ରଥମ ରୁ ଟୋକନ୍ ନ ପାଇ ଏକ ମାସରୁ ଉର୍ଦ୍ଧ ସମୟ ଧରି ଧାନ ବିକ୍ରି ରୁ ବଂଚିତ ଥିବା ଚାଷୀଙ୍କ ସହିତ ଦ୍ୱିତୀୟ ଟୋକନ୍ କୁ ଅପେକ୍ଷା କରି ଅନେଇ ବସିଥିବା ଶହ ଶହ ଚାଷୀଙ୍କୁ ଏବେ ହତାଶ ହେବାକୁ ପଡ଼ିଛି । ଏ ସବୁ ଚାଷୀ ଙ୍କ ପାଇଁ ପ୍ରଶାସନିକ ଆକଳନ କରି ସେମାନଙ୍କ ଧାନ ବିକ୍ରୟ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଦାବୀ ହେଉଛି ।
ଅନ୍ୟ ପଟରେ ତଳି ପକା, ଧାନ ରୁଆଆରମ୍ଭ ହୋଇ ସାରିଥିବା ବେଳେ ଡ଼ାଳୁଅ ଚାଷକୁ ନେଇ ଉପେକ୍ଷିତ ହୋଇଥିବା ଚାଷୀ ଙ୍କୁ ଏବେ ଆଶଙ୍କା ମଧ୍ୟରେ ଦିନ କାଟିବାକୁ ପଡ଼ୁଛି । ପୁଣି ମଣ୍ଡି ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ମଣ୍ଡିରେ ପଡ଼ିଥିବା ଧାନ ଏବେ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଚାଷୀଙ୍କ ବାସ୍ତବତାକୁ ଗୁରୁତ୍ୱ ଦେଇ ଅଦ୍ୟାବଧି ଧାନ ବିକ୍ରି କରି ନପାରି ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।