
-
ପାରାଦୀପ ଓ ଭଦ୍ରକର ଆଇଓସିଏଲ୍ ମେଗା ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, ଓଡ଼ିଶାରେ ଔଦ୍ୟୋଗିକ ବିକାଶ ଓ ନିବେଶକୁ ତ୍ୱରାନ୍ବିତ କରିବା ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଖାରବେଳ ଭବନଠାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ ଭଦ୍ରକରେ ୟାର୍ନ ଉତ୍ପାଦନ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋଦୟ ଅର୍ଥାତ ଦେଶର ପୂର୍ବଭାଗରେ ଥିବା ରାଜ୍ୟ ଗୁଡିକର ପ୍ରଗତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଏହି ଦୁଇଟି ପ୍ରକଳ୍ପ ଦେଶ ତଥା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଏହି ପ୍ରକଳ୍ପ ଗୁଡିକୁ ନେଇ ଥିବା ଜମି ଅଧିଗ୍ରହଣ ସମସ୍ୟାଗୁଡିକୁ ଶୀଘ୍ର ସମାଧାନ କରାଯିବା ଦରକାର ତାସହ ପ୍ରକଳ୍ପଗୁଡିକର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ସ୍ପଷ୍ଟ ନିଷ୍ପତ୍ତି ନିଆଯିବା ସହ ବିଭିନ୍ନ ଅନୁମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଉଚିତ। ପ୍ରକଳ୍ପଗୁଡିକର ଶୀଘ୍ର ଆରମ୍ଭ ଓ ଏହାର ସଫଳତା ନିମନ୍ତେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।
“ଏହି ଦୁଇ ପ୍ରକଳ୍ପ ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଗତି ଦେବେ । ଏହି ଦୁଇ ପ୍ରକଳ୍ପ ରାଜ୍ୟ ପାଇଁ ଆଖିଦୃଶିଆ ନିବେଶ ଆଣିବେ, ବ୍ୟବସାୟର ପରିଧି ବଢ଼ାଇବେ ଓ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବେ । ଏହାସହ ଓଡ଼ିଶାକୁ ପୂର୍ବ ଭାରତର ଏକ ଅଗ୍ରଣୀ ଶିଳ୍ପ କେନ୍ଦ୍ରରୂପେ ପ୍ରତିଷ୍ଠିତ କରିବାରେ ସହଯୋଗ କରିବେ”ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି ।
ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ସହ ସମନ୍ୱୟ ଏବଂ ତ୍ୱରିତ କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ପୂର୍ବୋଦୟ ସ୍ବପ୍ନକୁ ସାକାର କରିବାକୁ ହେଲେ ଆମକୁ ଏହି ଦୁଇଟି ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପଡିବ । ବିଶେଷକରି, ଭଦ୍ରକର ୟାର୍ନ ଉତ୍ପାଦନ ପ୍ରକଳ୍ପ ରାଜ୍ୟର ବସ୍ତ୍ର ଉଦ୍ୟୋଗକୁ ପ୍ରୋତ୍ସାହିତ କରି ବଡ ପରିମାଣରେ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସହଯୋଗ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ହେମାନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ; IOCL, IDCO, IPICOL, OPTCL, ଟାଟା ପାୱାର୍, ଡ୍ରେଜିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ର ପ୍ରତିନିଧି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ, ଭଦ୍ରକ ଓ ଜଗତସିଂହପୁରର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ ।