
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ଭାରତ ମଣ୍ଡପମ୍ରେ ‘ରାଇଜିଂ ନର୍ଥ ଇଷ୍ଟ ଇନ୍ଭେଷ୍ଟର୍ସ ସମିଟ୍ 2025’ ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ପୂର୍ବୋତ୍ତରକୁ ଦେଶର ବିକାଶର ଇଞ୍ଜିନ୍ ବୋଲି ବର୍ଣ୍ଣନା କରି ସୂଚିତ କରିଛନ୍ତି ଯେ ଏହି ଅଞ୍ଚଳ ବିକାଶର ଅପାର ସମ୍ଭାବନା ସହିତ ଭରିଛି। ପ୍ରଧାନମନ୍ତ୍ରୀ ଦେଶ ଓ ବିଦେଶର ବିନିଯୋଗକାରୀମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ପୂର୍ବୋତ୍ତରର ବିକାଶରେ ସାମିଲ ହୁଅନ୍ତୁ। ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଆସନ୍ତା ବର୍ଷଗୁଡ଼ିକରେ ବିକାଶଶୀଳ ଭାରତର ପଥ ପୂର୍ବୋତ୍ତର ମାର୍ଗରେ ଯିବ।
ଦୁଇଦିନିଆ ‘ରାଇଜିଂ ନର୍ଥ ଇଷ୍ଟ’ ବିନିଯୋଗ ସମ୍ମିଳନୀର ଉଦ୍ଦେଶ୍ୟ ପୂର୍ବୋତ୍ତରକୁ ଏକ ସୁଯୋଗର ଭୂମି ଭାବରେ ପ୍ରସ୍ତୁତ କରିବା, ବିନିଯୋଗକାରୀଙ୍କୁ ସଂଯୁକ୍ତ କରିବା ଓ ନୀତିନିର୍ମାତାଙ୍କ ସହିତ ସଂବାଦକୁ ଉତ୍ସାହିତ କରିବା । ଏହି ସମ୍ମିଳନୀରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ବସ୍ତ୍ର, ସ୍ୱାସ୍ଥ୍ୟ, ଶିକ୍ଷା, ଆଇ.ଟି., ଲଜିଷ୍ଟିକ୍ସ୍, ଶକ୍ତି ଓ ଖେଳ ଇତ୍ୟାଦି ପ୍ରମୁଖ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋତ୍ତରକୁ ‘ଅଷ୍ଟଲକ୍ଷ୍ମୀ’ ବୋଲି ସମ୍ବୋଧନ କରିଛନ୍ତି ଓ କହିଛନ୍ତି ଯେ ଏହି ଅଞ୍ଚଳ ବ୍ୟବସାୟ, ପର୍ଯ୍ୟଟନ, ଜୈବ ଅର୍ଥନୀତି, ବାଁଶ ଶିଳ୍ପ, ଚା ଉତ୍ପାଦନ, ଖେଳ, ଉର୍ଜା ଓ ଦକ୍ଷତା ବିକାଶ ଭଳି କ୍ଷେତ୍ରଗୁଡ଼ିକରେ ବିଶାଳ ସମ୍ଭାବନା ରଖିଛି।
ସେ କହିଛନ୍ତି ଯେ ଗତ ୧୧ ବର୍ଷରେ ପୂର୍ବୋତ୍ତର ଭାରତରେ ଯେଉଁ ପରିବର୍ତ୍ତନ ଘଟିଛି, ସେଗୁଡ଼ିକେ କେବଳ ଅଙ୍କ ନୁହେଁ, ମାଟି ସ୍ତରରେ ସ୍ପଷ୍ଟ ପରିବର୍ତ୍ତନ ଦେଖାଯାଉଛି। ସେ ୭୦୦ରୁ ଅଧିକ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଯାତ୍ରାର ଉଲ୍ଲେଖ କରି କହିଛନ୍ତି ଯେ ଏହି ଅଞ୍ଚଳ ଏବେ “ଲୁକ୍ ଇଷ୍ଟ” ନୁହେଁ, ବରଂ “ଆକ୍ଟ ଇଷ୍ଟ” ନୀତି ଅନୁଯାୟୀ ଭାରତର ବିକାଶ ଯାତ୍ରାରେ ଅଗ୍ରଣୀ ଭୂମିକା ନେଇଛି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବୋତ୍ତରରେ ହେଉଥିବା ବିକାଶ ସଂପର୍କରେ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ୧୧,୦୦୦ କି.ମି. ହାଇୱେ ନିର୍ମାଣ, ଭୂପେନ ହଜାରିକା ବ୍ରିଜ୍ ଓ ସେଲା ଟନେଲ୍ ଭଳି ମେଗା ପ୍ରୋଜେକ୍ଟ, ପୂର୍ବୋତ୍ତର ଗ୍ୟାସ୍ ଗ୍ରିଡ୍, 4ଜି/5ଜିନେଟୱାର୍କ୍ ଓ ୧୩,୦୦୦ କି.ମି. ଅପ୍ଟିକାଲ୍ ଫାଇବର୍ ନେଟୱାର୍କର କାମ ପୂର୍ବୋତ୍ତର ଅଞ୍ଚଳରେ ହୋଇଛି। ଏହି ପରିଯୋଜନାଗୁଡିକ ଉଦ୍ୟୋଗଗୁଡ଼ିକ ପାଇଁ ‘ଫର୍ଷ୍ଟ ମୁଭର୍ ଏଡଭାଣ୍ଟେଜ୍’ ସ୍ଥିତି ସୃଷ୍ଟି କରିଛିଛି।
ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବୋତ୍ତରକୁ ଭାରତ-ଆସିଆନ ବ୍ୟବସାୟର ଏକ ସେତୁ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଭାରତ-ଆସିଆନ ବ୍ୟବସାୟ ଶୀଘ୍ର ୨୦୦ ଅରବ ଡଲାର ଅତିକ୍ରମ କରିବ। ଗ୍ୱୌହାଟି, ଇମ୍ଫାଲ୍ ଓ ଅଗରତଳାରେ ଲଜିଷ୍ଟିକ୍ସ ହବ୍ ଏବଂ ମିଜୋରାମ୍ ଓ ମେଘାଳୟରେ ଲ୍ୟାଣ୍ଡ କଷ୍ଟମ୍ସ ଷ୍ଟେସନ୍ ଆନ୍ତର୍ଜାତୀୟ ବ୍ୟବସାୟକୁ ଏକ ନୂଆ ଦିଗ ଦେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ଦଶକରେ ୧୦ ହଜାରରୁ ଅଧିକ ଯୁବକ ଅସ୍ତ୍ରଶସ୍ତ୍ର ଛାଡ଼ି ମୂଳ ସ୍ରୋତ ଜୀବନରେ ଫେରିଛନ୍ତି। ଏହା ପର୍ଯ୍ୟଟନକୁ ବଢ଼ାଏ। ଗ୍ରାମ ଅଞ୍ଚଳରେ ହୋମ୍ଷ୍ଟେ, ନୂଆ ଟୁର୍ ଗାଇଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବଢ଼ିଛି। ସେ ସହିତ ‘ହିଲ୍ ଇନ୍ ଇଣ୍ଡିଆ’ ଅଭିଯାନ ଅନ୍ତର୍ଗତ ପୂର୍ବୋତ୍ତରକୁ ୱେଲନେସ୍ ଟୁରିଜମ୍ର କେନ୍ଦ୍ର ଭାବରେ ବିକଶିତ କରାଯାଉଛି।
ସେ କହିଛନ୍ତି ଯେ ୨୧ ହଜାର କୋଟି ଟଙ୍କାର ବିନିଯୋଗରେ ପୂର୍ବୋତ୍ତର ଅଞ୍ଚଳରେ ୮୦୦ଟି ସ୍କୁଲ୍, ୯ଟି ମେଡିକାଲ୍ କଲେଜ୍, ୨ଟି ଆଇ.ଆଇ.ଟି. ଓ ଦେଶର ପ୍ରଥମ ସ୍ପୋର୍ଟସ୍ ୟୁନିଭର୍ସିଟି ନିର୍ମାଣ ହେଉଛି। ସେଥିପାଇଁ ଯୁବକମାନେ ପାଇଁ ଷ୍ଟାର୍ଟଅପ୍, ଡିଜିଟାଲ୍ ଇନୋଭେସନ୍ ଓ ଦକ୍ଷତା କେନ୍ଦ୍ର ଖୋଲାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବୋତ୍ତରରେ ହାଇଡ୍ରୋ ଓ ସୋଲାର୍ ଶକ୍ତି କ୍ଷେତ୍ରରେ ବଢ଼ୁଥିବା ବିନିଯୋଗ ସହିତ ସହିତ, ଶୀଘ୍ର ଏହି ଅଞ୍ଚଳର ପ୍ରଥମ ‘ମେଡ୍ ଇନ୍ ଇଣ୍ଡିଆ’ ଚିପ୍ ତିଆରି ହେବ। ଏହା ଦ୍ୱାରା ଭାରତର ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ।
ଏହି କାର୍ଯ୍ୟକ୍ରମରେ ପୂର୍ବୋତ୍ତର ଅଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ, ମଣିପୁରର ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା, ମିଜୋରମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା, ନାଗାଲ୍ୟାଣ୍ଡର ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ, ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାଣିକ ସାହା, ପୂର୍ବୋତ୍ତର ଅଞ୍ଚଳ ବିକାଶ ରାଜ୍ୟମନ୍ତ୍ରୀ ଡା. ସୁକାନ୍ତ ମଜୁମଦାର ଉପସ୍ଥିତ ଥିଲେ।