
-
୧୨ ଜଣ କୁଖ୍ୟାତ ଅପରାଧି ଗିରଫ ।
-
୬ଟି ପିସ୍ତଲ, ୧୨ ଅଫୁଟା ଗୁଳି, ୫ଟି ଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ ।
ବ୍ରହ୍ମପୁର:ସ୍ପେଶାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା । ୧୨ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬ଟି ପିସ୍ତଲ ଜବତ କରିଛି ବ୍ରହ୍ମପୁର ପୋଲିସ । ଗତ କିଛି ଦିନ ହେଲା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧି ମାନଙ୍କର ଆତଙ୍କରାଜ ଚାଲିଥିଲା । କଥାକଥାକେ ଫୁଟୁଥିଲା ଗୁଳି । ଏଭଳି ସ୍ଥିତିକୁ ଦେଖି ଗତ କିଛି ଦିନ ପୂର୍ବରୁ ବ୍ରହ୍ମପୁର ପୋଲିସ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଆଉ ଏହି ସ୍ପେଶାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରହିଥିବା ବଡ଼ବଜାର, ସଦର ଥାନା, ନିମଖଣ୍ଡି ଓ ଦିଗପହଣ୍ଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିଲା । ଚାରୋଟି ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ୧୨ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏହି ଅପରାଧି ମାନଙ୍କ ଠାରୁ ପୋଲିସ ୬ଟି ପିସ୍ତଲ, ୧୨ଟି ଅଫୁଟା ଗୁଳି, ୫ଟି ଖଣ୍ଡା, ୭ଟି ମୋବାଇଲ ସହ ଗୋଟିଏ ଶାବଳକୁ ଜବତ କରିଛି । ଏହି ଅପରାଧି ମାନେ ବ୍ରହ୍ମପୁର ସହ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ବେଳେ ସମସ୍ତ ଅପରାଧିଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଥିଲା । ଗିରଫ ଅପରାଧି ମାନେ ବିହାର ରାଜ୍ୟର ମୁଙ୍ଗେରରୁ ପିସ୍ତଲକୁ ୪୦ ରୁ ୫୦ ହଜାର ଟଙ୍କାରେ ଆଣି ଅପରାଧିକ କାର୍ଯ୍ୟକଳାପ କରୁଥିଲେ । ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ୧୨ ଜଣ ଅପରାଧି ଗିରଫ ହୋଇଥିବା ବେଳେ ଏହି ସ୍ପେଶାଲ ଡ୍ରାଇଭ ଆଗକୁ ମଧ୍ୟ ଚାଲିବ ଓ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥାଇ ଫେରାର ଥିବା ଅପରାଧିଙ୍କୁ ମଧ୍ୟ ଗିରଫ କରାଯିବ। ଗିରଫ ହୋଇଥିବା ୧୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇଜି ନୀତି ଶେଖର । ସାମ୍ବାଦିକ ସମ୍ମିଳନୀରେ ଆଇଜିଙ୍କ ସମେତ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ ଓ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।