
ଗଂଜାମ– ପଶୁ ସମ୍ପଦକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପଶୁଙ୍କୁ ଉତ୍ତମ ଚିକିତ୍ସା ମିଳିବା ତ ଦୂରର କଥା ବର୍ତ୍ତମାନ ପ୍ରାଥମିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ନିରୀହ ପଶୁପକ୍ଷୀ। ଆଜି ସକାଳୁ ଇଞ୍ଜିନିୟରିଂ ସ୍କୁଲ ଗେଟ୍ ସମ୍ମୁଖରେ ଏକ ବୁଲା କୁକୁର କୈାଣସି ଏକ ଗାଡ଼ି ଧକ୍କାରେ ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖି ସ୍ଥାନୀୟ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୧୯୬୨ ନମ୍ବରକୁ ଡାଇଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବ୍ରହ୍ମପୁର ପ୍ରାଣୀଧନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା ନୋଡାଲ ଅଫିସର ଅରବିନ୍ଦ ବେହେରାଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ। ଶ୍ରୀ ବେହେରାଙ୍କ ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ପଶୁ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଏପରି ଘଟଣା ବାରମ୍ବାର ଘଟୁଛି। ପ୍ରାଣୀ ବିଭାଗକୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉ ନଥିବାରୁ ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଏହାକୁ ଦେଖିଲେ ପ୍ରାଣୀ ବିଭାଗର ପ୍ରାଣୀ ସମ୍ପଦ ପ୍ରତି ନିଘା ନାହିଁ କି ପ୍ରାଣୀ ବିଭାଗ ପ୍ରତି ପ୍ରଶାସନର କୈାଣସି ଲଗାମ ନଥିବା ପରି ଜଣାପଡୁଛି। ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଲେ ପ୍ରାଣୀ ସମ୍ପଦର ସୁରକ୍ଷା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।