
ଶ୍ରୀନଗର– ଶ୍ରୀନଗର ଲବେପାରା ଅଂଚଳରେ ବୁଧବାର ଦିନ ଚେକ ପଏଂଟରେ ମୁତୟନ ସିଆରପିଏଫ ଜବାନ ମାନଙ୍କ ଉପରେ ଆତଙ୍କବାଦୀ ମାନେ ଅଚନାକ ଆକ୍ରମଣ କରି ଦେଇଥିଲେ । ଏହା ପରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିୟମରେ ଜଣେ ସିଆରପିଏଫ ଜବାନ ଶହୀଦ ହୋଇଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଶ୍ରୀନଗରରେ ଲବେପାରା ଅଂଚଳରେ ସିଆରପିଏଫ ଦ୍ୱାରା ବାହନ ଗୁଡିକର ଚେକିଂ ପାଇଁ ଚେକ ପଏଂଟ ତିଆରି କରା ଯାଇଥିଲା । ସେଠାରେ ଆତଙ୍କବାଦୀ ମାନେ ପହଂଚି ସିଆରପିଏଫ ଜବାନ ମାନଙ୍କ ଉପରେ ଗୁଳି କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ସିଆରପିଏଫ ଜବାନ ମାନେ ତାଙ୍କର ପଜିସନ ନେଇ ପାଲଟା ଗୁଳି ଚଳାଇଥିଲେ । କିଛି ସମୟପରେ ଦୁଇ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳତା ମିଳିଲା । ହେଲେ ଏହି ଗୁଳି ବିନିମୟରେ ଆହତ ଜବାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତର ମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।