
ଜୟପୁର– କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ସଭାଗୃହ ଠାରେ କୋରାପୁଟ ଜିଲ୍ଲାପାଳ ଭି କିର୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ଶାବର ଶ୍ରୀକ୍ଷେତ୍ରରେ ଶ୍ରୀ ଗୁଣ୍ଡିଚା ଓ ବାହୁଡା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜୁନ ମାସ ୨୭ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ତା ପୂର୍ବରୁ ଆସନ୍ତା ଜୁନ ୧ ତାରିଖ ରେ ରଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ମହାରଣା କାରିଗର ଓ ସ୍ୱେଚ୍ଛାସେବୀ ମାନଙ୍କ ଉଦ୍ୟମରେ ୩ ଗୋଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୈଠକରେ ନିଷ୍ପତି ନିଆଯାଇଛି । ଜୁନ ମାସ ୨୬ ତାରିଖରେ ନେତ୍ରୋତ୍ସବ ଓ ନବଜୌବନ ଦର୍ଶନ ପଡୁଥିବାରୁ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଅନୁସାରେ କାର୍ଯ୍ୟ ସଂପର୍ଣ୍ଣ କରାଯିବ ବୋଲି ନିଷ୍ପତି ହୋଇଛି । ।୧୯୭୨ ମସିହାରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଥିବା ୨୦୧୮ ପର୍ଯ୍ୟନ୍ତ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ବସାଇ ରଥଯାତ୍ରା କରାଯାଉଥିଲା ମାତ୍ର ୨୦୧୯ ଠାରୁ ୩ଗୋଟି ରଥ କୋରାପୁଟ ବଡଡାଣ୍ଡରେ ଗଡୁଥିବା ବେଳେ ଚଳିତ ବର୍ଷ ମଧ୍ୟ ୩ଗୋଟି ରଥରେ ରଥଯାତ୍ରା ହେବ । ଶାବର ଅଧୃସୂତ ଏହି ଭୂଇଁରେ ରଥ ଉପରେ ଛେରାପହଁରା କରନ୍ତି ଆଦିବାସୀ ଗାଁ ନାୟକ । ଅନୁରୂପ ଭାବେ ଏବର୍ଷ ୩ରଥରେ ଜିଲ୍ଲାର ୩କୋଣରୁ ୩ଜଣ ଆଦିବାସୀ ସେବକଙ୍କୁ ଛେରାପହଁରା ଦାୟିତ୍ୱ ଦିଆଯିବ ବୋଲି ନିଷ୍ପତି ହୋଇଛି ।
ଶ୍ରୀ ଗୁଣ୍ଡିଚା ରଥଯାତ୍ରାରୁ ବାହୁଡା ପର୍ଯ୍ୟନ୍ତ କିପରି ଶାନ୍ତିଶୃଙ୍ଖଳା ସହ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବ ଏବଂ କେଉଁ ବିଭାଗ କିପରି ଭାବେ ଦାୟିତ୍ୱ ତୁଲାଇବେ ତାହା ସହ ସୁରକ୍ଷା,ସ୍ୱଚ୍ଚତା,ପାନୀୟ ଜଳ,ଅସ୍ଥାୟୀ ଫାଣ୍ଡି,ବିଦ୍ୟୁତ ସେବା ଓ ଓଡ୍ରାଫ ଇତ୍ୟାଦି ଉପରେ ବିଷଦ ଆଲୋଚନା ହୋଇଥିବା ଜିଲ୍ଲାପାଳ ଶ୍ରୀ ୱାସନ କହିଛନ୍ତି ।ବିଶେଷ କରି ଚଳିତ ବର୍ଷ ଆଇନ ଶୃଙ୍ଖଳାକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ସିସିଟିଭି ନଜରରେ ଶ୍ରୀ ଗୁଣ୍ଡିଚା ଓ ବାହୁଡାର ରଥଟଣା କାର୍ଯ୍ୟ ରହିବ ବୋଲି ସେ କହିଛନ୍ତି। ରଥଯାତ୍ରା ପୂର୍ବରୁ ମଦ ଦୋକାନ ସବୁ ବନ୍ଦ କରାଯିବ ଏବଂ ସୀମାରେ ଚେକ ପୋଷ୍ଟ କରାଯିବ ବୋଲି ସେ କହିଛନ୍ତି ଆଇନ ଶୃଙ୍ଖଳା ପାଇଁ ଅଧିକ ପୁଲିସ ମୂତୟନ କରାଯିବ ବୋଲି ସେ କହିଛନ୍ତି।ସ୍ନାନପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।ରଥଯାତ୍ରା ଦିନ ସୁଭଦ୍ରାଙ୍କର ପହଣ୍ଡି ଓ ରଥଟଣା କାର୍ଯ୍ୟ ମହିଳାଙ୍କ ଦ୍ୱାରା ସମ୍ପାଦନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଟାଉନଥାନା ଅଧିକାରୀଙ୍କୁ ମାଉସୀ ମା ପୋଡପିଠା ପ୍ରସ୍ତୁତି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଜଣାପଡିଛି । ରଥ ପାଖରେ ଅତ୍ୟାଧୁନିକ ଆଲୋକୀକରଣ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଛି । ରାସ୍ତାର ଦୁଇ ପାଶ୍ୱରେ ଥିବା ଡ୍ରେନ ଉପରେ କଭର କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତ ମାନଙ୍କ ଉନ୍ନତ ମାନର ପ୍ରସାଦ ବ୍ୟବସ୍ଥା ଉପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଗୁରୁତ୍ୱାରୋପ କରିଥିଲେ ।
ଆଜିର ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି,କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ,ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିତିସୁଧା ଜେନା,ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସମ୍ପାଦକ ଭବାନୀ ଶଙ୍କର ଆଚାର୍ଯ୍ୟଙ୍କ ସମେତ ମନ୍ଦିର ପରିଚାଳନା ସଂସ୍ଥାର କର୍ମକର୍ତ୍ତା ଓ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ । ସୂଚନାଥାଉକି ଜୁନ ମାସ ୧୧ ତାରିଖରେ ଦେବସ୍ନାନ ପୂଣ୍ଣ୍ରିମା ଓ ଜୁନ୍ ୨୭ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରାରେ ସକାଳ ୯ଟା ୪୦ରେ ପହଣ୍ଡି ଆରମ୍ଭ ହେବ ଏବଂ ଦିବା ୧ ଟା ୦୫ ରୁ ରଥଟଣା ହେବ ବୋଲି ଜଣାପଡିଛି ।ଜୁନ ୨୮ ତାରିଖ ଦିନ କୋଟିଆରେ ରଥଟଣା ହେବ ବୋଲି ଜଣାପଡିଛି ।