
ଭୁବନେଶ୍ୱର- ଜାତୀୟସ୍ତରୀୟ ହସ୍ତତନ୍ତ ମେଳାରେ ବୁଧବାର ଦୁଇଜଣ ବମକାଇ କଟନ ବୁଣାକାରଙ୍କୁ ବୟନିକା ତରଫରୁ ‘ବୟନ ସମ୍ମାନ’ ରେ ସମ୍ମାନିତ କରାଯାଇଛି । ବମକାଇ କଟନ ଶାଢୀ ଡ୍ରେସ୍ସେଟ୍ ଓ ଡ୍ରେସ୍ ମ୍ୟାଟେରିଆଲ୍ ଓଡ଼ିଶା ହସ୍ତତନ୍ତ ବସ୍ତ୍ର ମଧ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବମକାଇ କଟନ ଶାଢୀକୁ ଓ.ଏମ୍.ସି, ନାଲ୍କୋ ଆଦି ସଂସ୍ଥା କର୍ମଚାରୀଙ୍କ ୟୁନିଫର୍ମ ଭାବେ ବ୍ୟବହାର କରାଯାଉଛି ।
ଆସନ୍ତାକାଲି (ଗୁରୁବାର) ଏହି ମେଳାରେ ବିଭୂପ୍ରସାଦ ନନ୍ଦ (ପ୍ରାର୍ଥନା ମଂଚ) ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଅଛି ।
ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ବାରିକ ଉଦ୍ଘାଟନ କରିଥିଲେ । ବୟନିକା ଦ୍ୱାରା ଆୟୋଜିତ ଏହି ମେଳାକୁ ସେ ଭୂୟୀଅଶୀ ପ୍ରଶଂସା କରି ଏହି ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ପୋଷଣ କରିଥିଲେ । ଏହାପରେ ଶ୍ରୀମତୀ ଶାନ୍ତିଲତା ବାରିକ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ସୁମଧୁର ଭଜନ ପରିବେଷଣ କରାଯାଇଥିଲା ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା । କିଣାବିକା ସହ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ/ଗ୍ରାହକ ମନଭରି ଉପଭୋଗ କରିଥିଲେ ।