
-
ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ
-
ଯୁବବର୍ଗଙ୍କୁ ଦିଆଯିବ ତାଲିମ, ପ୍ରମାଣପତ୍ର, ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ହେବ
-
ସାତକୋଶିଆରେ ରାଫ୍ଟିଙ୍ଗ୍, ହିରାକୁଦରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ କରାଯିବ
ଭୁବନେଶ୍ୱର,ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫ (Odisha Adventure Tourism Guidelines-2025)କୁ ଚୁଡାନ୍ତ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡିଶାରେ ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର ବିକାଶ କରାଯିବ । ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡିଶା କଥା ତାଙ୍କ ମନକୁ ଆସିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ-୨୦୪୭ର ପରିକଳ୍ପନା ସହିତ ତାଳଦେଇ ଓଡିଶାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଯୋଜନା କରାଯାଉଛି ଏବଂ ପର୍ଯ୍ୟଟନ ମଧ୍ୟ ଆମ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଓଡିଶାର ବିକାଶ ପାଇଁ ଯେଉଁ ବ୍ୟାପକ ଦୃଷ୍ଟିଭଙ୍ଗୀ ରଖାଯାଇଛି, ଏହି ନିର୍ଦ୍ଦେଶାବଳୀ ତାହାର ଏକ ଅଂଶବିଶେଷ । ଓଡିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଓ ରୋମାଞ୍ଚକ ସ୍ଥାନ ଗୁଡିକୁ ଦୁଃସାହସିକ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରିବା ଏହାର ଲକ୍ଷ୍ୟ। ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଏହି ଦୁଃସାହସିକ ପର୍ଯ୍ୟଟନର ସମ୍ଭାବନା ଥିବା ସ୍ଥାନ ଗୁଡିକର ମ୍ୟାପିଙ୍ଗ୍ କରାଯାଇ ଏଗୁଡିକର ବିକାଶ କରାଯିବ। ସାତକୋଶିଆରେ ରାଫ୍ଟିଙ୍ଗ୍ ଓ ହିରାକୁଦ ଉପରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ପର୍ଯ୍ୟଟନ ସୁବିଧାର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି।
ଏହି ପର୍ଯ୍ୟଟନ ଲୋକପ୍ରିୟ ହେବା ସହିତ ଏହା ରାଜ୍ୟର ଯୁବଶକ୍ତି ପାଇଁ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଜଳ,ସ୍ଥଳ ଓ ଆକାଶ- ବିଭିନ୍ନ ଦୁଃସାହସିକ ପର୍ଯ୍ୟଟନ ପାଇଁ ଯୁବବର୍ଗଙ୍କୁ ତାଲିମ ଓ ପ୍ରମାଣପତ୍ର ଦିଆଯିବ। ଏହା ଦ୍ୱାରା ସେମାନଙ୍କ ପାଇଁ ବ୍ୟାପକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହୋଇପାରିବ । ଏଥିପାଇଁ ଘରୋଇ କ୍ଷେତ୍ରର ଅଂଶଗହଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ‘Go Adventure’ ପୋର୍ଟାଲ ଜରିଆରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅନୁମୋଦନ ଦିଆଯିବ ।
ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଘରୋଇ ସଂସ୍ଥା ଗୁଡିକୁ ଓଡିଶା ପର୍ଯ୍ୟଟନ ନୀତି-୨୦୨୨ ଅଧିନରେ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରଖା ଯାଇଛି । ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ ଉପସ୍ଥିତ ଥିଲେ ।