
ଭୁବନେଶ୍ୱର – ଏରସମା ଠାରେ ଜନନାୟକ ଲୋକନାଥ ଚୌଧୁରୀଙ୍କ ସର୍ବଦଳୀୟ ଜନ୍ମ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି ଶ୍ରୀ ଶଶୀ ଭୂଷଣ ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ମରଣିକା ଜରିଆରେ ତାଙ୍କ ବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ଚୌଧୁରୀ ବାମପନ୍ଥୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ହୋଇ ଜନସାଧାରଣଙ୍କ ଚିନ୍ତାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଚାଷୀ ଓ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସେ ସାରା ଜୀବନ କାମ କରୁଥିଲେ । ତାଙ୍କ ଜୀବନ ଥିଲା ଆଦର୍ଶ ଓ ସଂଗ୍ରାମର ଅନୁପମ ଉଦାହରଣ । ଏହି ଅବସରରେ ଏକ ସ୍ମରଣିକା ‘ଜନନାୟକ ଲୋକନାଥ’ ଉନ୍ମୋଚନ ହେବା ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା ।
ଉକ୍ତ ସଭାରେ ବିଜୁ ଜନତା ଦଳ ତରଫରୁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ଶ୍ରୀ ଚୌଧୁରୀ ୩ ଥର ବିଧାୟକ ଓ ବିଜୁ ବାବୁଙ୍କ ସହିତ ନିର୍ବାଚନକାଳୀନ ମେଣ୍ଟରେ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇ ସଂସଦରେ ସମାଜର ଅସହାୟ, ଅବହେଳିତ, ଗରିବ ଓ ନିଷ୍ପେସିତ ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରୁଥିଲେ । ଭାଗଚାଷୀ ଓ ଶ୍ରମିକ ମାନଙ୍କୁ ନ୍ୟାୟ ଦେବା ଏବଂ ସମାଜବାଦରେ ବିଶ୍ୱାସ ରଖି ନିଜ ରାଜନୈତିକ ଜୀବନରେ କାର୍ଯ୍ୟ କରୁଥିଲେ, ଯାହା ଆଜି ମଧ୍ୟ ଯୁବ ସମାଜ ପାଇଁ ପ୍ରେରଣାଦାୟୀ ଅଟେ । ଏହି ସଭାରେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଯୋଗ ଦେଇଥିଲେ । ବାଲିକୁଦା-ଏରସମାର ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ସଭା ସଞ୍ଚାଳନ କରିଥିଲେ ।