-
ଉପେନ୍ଦ୍ର ଯୋଗଦେବେ ବାଙ୍ଗାଲୋରରେ ଆସନ୍ତାକାଲି ହେବାକୁ ଥିବା ଆନ୍ତର୍ଜାତୀୟ ଷ୍ଟୋନା ଫେୟାର ୨୦୨୦
ବାଲେଶ୍ବର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ବାଙ୍ଗାଲୋରର ଫେଡ୍ରେସନ ଅଫ ଇଣ୍ଡିଆନ ଗ୍ରାନାଇଟ ଆଣ୍ଡ୍ ଷ୍ଟୋନ୍ ଇଣ୍ଡଷ୍ଟ୍ରି ଦ୍ବାରା ଫେବୃଆରୀ ୬ ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ପ୍ରସ୍ତରଶିଳ୍ପୀଙ୍କ କାରୁକାର୍ଯ୍ୟକୁ ନେଇ ବୃହତ ଆନ୍ତର୍ଜାତୀୟ ମେଳା। ଏହା ଆଗାମୀ କାଲି ଠାରୁ ଆରମ୍ଭ ହେଉଛି। ୧୪ତମ ଷ୍ଟୋନା ୨୦୨୦ ନାମରେ ଏହି ମେଳା ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହୋଇଆସୁଛି। ଏଥିରେ ଭାଗ ନେବା ପାଇଁ ଆବେଦନ ମାଧ୍ୟମରେ ଶିଳ୍ପୀ ଚୟନ କରାଯାଏ। ଚଳିତ ବର୍ଷ ବାଲେଶ୍ଵରର ରାମେଶ୍ୱର ମନ୍ଦିର ସନ୍ନିକଟ ଅଞ୍ଚଳରେ ରହୁଥିବା ଷ୍ଟୋନ୍ ଆର୍ଟିଷ୍ଟ ଉପେନ୍ଦ୍ର ଗିରି ଏହି ଆନ୍ତର୍ଜାତିକ ମେଳାରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଏଥିପାଇଁ ବାଙ୍ଗାଲୋର ଶିଳ୍ପଗ୍ରାମର ଷ୍ଟୋନା-୨୦୨୦ରେ ଏକ ଷ୍ଟଲ୍ ଯୋଗାଇ ଦିଆଯିବ ବୋଲି ଶିଳ୍ପଗ୍ରାମ ସବ୍ କମିଟି ଅଧ୍ୟକ୍ଷ ରମେଶ ନାଗାରାଜୁ ଜଣାଇଛନ୍ତି।
ଯୁବ ପଥରଶିଳ୍ପୀ ଉପେନ୍ଦ୍ର ଗିରି ଏହି ପ୍ରସ୍ତରଶିଳ୍ପ ମେଳାରେ ଯୋଗ ଦେଇ ତାଙ୍କର ଉନ୍ନତମାନର ପଥର କଳା ପ୍ରଦର୍ଶନ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଦୁଇ ବର୍ଷକୁ ଥରେ ଆୟୋଜିତ ଏହି ବିଶ୍ବ ପ୍ରସିଦ୍ଧ ଷ୍ଟୋନା ଫେୟାର୍ ରେ ଶିଳ୍ପୀ ଶ୍ରୀ ଗିରି ଦ୍ବିତୀୟ ଥର ପାଇଁ ଓଡ଼ିଶାରୁ ପଥର ଶିଳ୍ପକଳାର ପ୍ରଦର୍ଶନ ନିମନ୍ତେ ସୁଯୋଗ ପାଇଥିବାରୁ ସ୍ଥାନୀୟ ଶିଳ୍ପୀକୁଳରେ ଆନନ୍ଦ ପ୍ରକାଶ ପାଇଛି। ଅନେକେ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ବିଶାଳ ଷ୍ଟୋନ ଫେୟାରରେ କେବଳ ପଥର ସମ୍ବନ୍ଧୀୟ ସମସ୍ତ ଉପକରଣ, ଆଧୁନିକ ଯନ୍ତ୍ରପାତି, କାରୁକାର୍ଯ୍ୟ ଓ ବିଭିନ୍ନ ପ୍ରଜାତିର ପଥର ମାନ ପ୍ରଦର୍ଶିତ ହୁଏ । ଏଥିରେ ଦେଶ ବିଦେଶର ବଡ଼ ବଡ଼ କମ୍ପାନୀ ମାନେ ଅଂଶ ଗ୍ରହଣ କରନ୍ତି ।
ଶିଳ୍ପୀ ଶ୍ରୀ ଗିରି ବଡ଼ ଵଡ଼ ବୁଦ୍ଧ ମୂର୍ତ୍ତି ସହ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ତଥା ଆଧୁନିକ ପଥର ଖୋଦେଇ କାରୁକାର୍ଯ୍ୟ ମାନ ପ୍ରଦର୍ଶନ କରିବେ ବୋଲି ପ୍ରକାଶ କରିଛନ୍ତି।
ଶ୍ରୀ ଗିରି ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବାର ଅବ୍ୟବହିତ ପୂର୍ବରୁ ଏହି ଖବର ପ୍ରଚାରିତ ହେବା ଫଳରେ ବାଲେଶ୍ବରର କଳାକାର ତଥା କଳାପ୍ରେମୀ ମହଲରେ ପ୍ରଶଂସାର ସୁଅ ଛୁଟିଥିବାର ଦେଖାଯାଇଛି। ଶିଳ୍ପୀ ଉପେନ୍ଦ୍ର ନିଜର ନିଖୁଣ ଶିଳ୍ପକଳା ପାଇଁ ବହୁ ଅନୁଷ୍ଠାନରୁ ମଧ୍ୟ ବହୁବାର ପ୍ରଶଂସିତ ହୋଇଛନ୍ତି।