
ଶ୍ରୀହରିକୋଟା– ଇସ୍ରୋକୁ ରବିବାର ଏକ ଝଟ୍କା ଲାଗିଛି । ଇସ୍ରୋର ସବୁଠୁ ଭରସାଯୋଗ୍ୟ ଧ୍ରୁବୀୟ ଉପଗ୍ରହ ଉତକ୍ଷେପଣ ଯାନ ପିଏସଏଲଭି-ସି61ର ମିଶନ ତୃତୀୟ ପର୍ଯ୍ୟାୟରେ ଫେଲ୍ ମାରିଛି । ଏହାଦ୍ୱାରା ଏହି ମହତ୍ୱାକାଂକ୍ଷା ମିଶନ ଅନ୍ତର୍ଗତ ଇଓଏସ-09 ପୃଥ୍ୱୀ ଅବଲୋକନ ଉପଗ୍ରହ ନିର୍ଦ୍ଧାରିତ କକ୍ଷରେ ପହଂଚିବାରେ ସଫଳ ହୋଇନି । ଇସ୍ରୋ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି ।
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅବସ୍ଥିତ ସତୀଶ ଧାୱନ ଅନ୍ତରିକ୍ଷ କେନ୍ଦ୍ରରୁ ରବିବାର ସକାଳ 5:59 ମିନିଟ ସମୟରେ ଇସ୍ରୋ ତାର 101ତମ ଉତକ୍ଷେପଣ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେହିକଲ୍ ସି61 ମାଧ୍ୟମରେ ଇଓଏସ-09 ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରିଥିଲା, କିନ୍ତୁ ଉତକ୍ଷେପଣ ପରେ କେବଳ କିଛି ମିନିଟ୍ରେ ରକେଟ୍ ତୃତୀୟ ପର୍ଯ୍ୟାୟରେ ତାହାର ନିର୍ଦ୍ଦିଷ୍ଟ ପଥରୁ ଭ୍ରମିତ ହୋଇଯାଇଥିଲା।
ପ୍ରାରମ୍ଭିକ ଅନୁମାନ ଅନୁଯାୟୀ, ରକେଟ୍ର ତୃତୀୟ ପର୍ଯ୍ୟାୟର ପ୍ରଣୋଦନ ପ୍ରଣାଳୀରେ ସନ୍ଦିଗ୍ଧ ଫ୍ଲେକ୍ସ୍ ନୋଜଲ୍ ତ୍ରୁଟି ହେବା କାରଣରୁ ପ୍ରକ୍ଷେପଣ ବିଫଳ ହୋଇଛି। ଇଓଏସ-09 ଉପଗ୍ରହରେ ରାତିରେ ମଧ୍ୟ ଉଚ୍ଚ-ରେଜୋଲୁସନ୍ ଫଟୋ ତିଆରି କରିବାର ଟେକ୍ନୋଲୋଜି ଥିଲା। ବୈଜ୍ଞାନିକମାନେ ଏହି ଉତକ୍ଷେପଣ ବିଫଳ ହେବାର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି।