
ମାଲକାନଗିରି– ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ଗ୍ରାମପଞ୍ଚାୟତ ତରଫରୁ ଭାଲୁଗୁଡା ଗ୍ରାମ ନିକଟରେ ଏକ ଆବର୍ଜନା ପୃଥକୀକରଣ କେନ୍ଦ୍ର ଗତକାଲି ଉଦଘାଟିତ ହୋଇଯାଇଛି। ସରପଞ୍ଚ ମଙ୍ଗଳା ମାଢୀ ଓ ଜିଲ୍ଲା ପରିଷଦ ସଭ୍ୟ ବଳୀ ମାଝୀ ଏହାକୁ ଉଦଘାଟନ କରିଥିଲେ । କୁଡୁମୁଲୁଗୁମ୍ମାର “ମାଁ ଜଗଦମ୍ବା ସ୍ୱୟଂ ସହାୟିକା ଗୋଷ୍ଠୀକୁ” ଏହି କେନ୍ଦ୍ରଟିର ପରିଚାଳନା ଦାୟିତ୍ଵ ଦିଆଯାଇଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ଅଧିକ ସହଜ ଓ ଗତିଶୀଳ କରିବା ପାଇଁ ଗୋଟିଏ ବ୍ୟାଟେରୀ ଚାଳିତ ଆବର୍ଜନା ବୋହିବା ଅଟୋଗାଡି ସହ ଦୁଇ ଗୋଟି ମାନବ ଚାଳିତ ରିକ୍ସା ପ୍ରଦାନ କରାଯାଇଛି । ଉକ୍ତ ଗାଡି ଓ ରିକ୍ସା ଗୁଡ଼ିକ ପ୍ରତିଦିନ ସକାଳ ୮ ଟାରୁ ଗ୍ରାମର ବିଭିନ୍ନ ଛକ ସ୍ଥାନଗୁଡିକରୁ ଆବର୍ଜନା ଉଠାଇବା ସହ ଏହାକୁ ନେଇ ଭାଲୁଗୁଡା ଆବର୍ଜନା ପୃଥକୀକରଣ କେନ୍ଦ୍ର ଠାରେ ପହଞ୍ଚାଇବେ, ଯେଉଁଠି ଏହି ଆବର୍ଜନା ଗୁଡିକୁ ପୃଥକ୍ ପୃଥକ୍ କରାଯାଇ ସଠିକ ବିନିଯୋଗ ଉଦ୍ଦେଶ୍ୟରେ ରଖାଯିବ । କେନ୍ଦ୍ରର ପରିଚାଳନା ବାବଦରେ ସମସ୍ତ ଖର୍ଚ୍ଚ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯିବ ବୋଲିି ପଞ୍ଚାୟତ ନିର୍ବାହୀ ଅଧିକାରୀ ରେବତୀ ମାଝୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ବ୍ଲକ ସମ୍ବଳ ସ°ଯୋଜକ ସୁଶାନ୍ତ ସାହୁ, ସମାଜସେବୀ ସାଧୂ ହନ୍ତାଳ, ଭଗବାନ ସାହୁ, ଯୋଗାଣ ସହାୟକ ଦେବେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।