
ଭୁବନେଶ୍ୱର– ରିଟେଲ୍ ମାର୍କେଟିଂ ସହ ଡିଜିଟାଲ ମାର୍କେଟିଂ ଉପରେ ଏଣିକି ଫୋକସ୍ କରାଯିବ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବଂ ଓଏନଡିସି ସହଯୋଗରେ ବିପଣନ ନକ୍ସା ପ୍ରସ୍ତୁତ କରିବାକୁ ଯୋଜନା କରିଛି । ବିଶ୍ୱର କୋଣ ଅନୁକୋଣରେ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପହଞ୍ଚାଇବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ବିଶ୍ୱ ବଜାରରେ ଓଡ଼ିଆ ଅସ୍ମିତାର ଜୟଧ୍ୱନୀ ଶୁଣିବାକୁ ମିଳିବ ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀମାନଙ୍କ ଦୁଇଦିନିଆ ସମୀକ୍ଷା ଓ କର୍ମଶାଳାର ଦ୍ୱିତୀୟ ଦିବସରେ ଆୟୋଜିତ “ଡିଜିଟାଲ ମାର୍କେଟିଂ” ସମ୍ବନ୍ଧୀୟ ଆଲୋଚନାଚକ୍ରରେ ଏହି ମତ ଆଜି ପ୍ରକାଶ ପାଇଛି । ଆଜି ଦ୍ୱିତୀୟ ଦିବସ ପ୍ରାରମ୍ଭରେ ଓଏନଡିସିର ଉପ-ସଭାପତି ଅଦିତି ସିହ୍ନା ଡିଜିଟାଲ ମାର୍କେଟିଂ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । କର୍ମଶାଳାରେ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଏ ଦିଗରେ ଅବଗତ କରାଯାଇଥିଲା । ବୁଣାକାର ଓ କାରିଗରଙ୍କ ଆର୍ôଥକ ଉନ୍ନତି ସହ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ଆଗେଇ ନେବା ପାଇଁ ଏହି ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି । ଏହି ଲକ୍ଷ୍ୟ ସାଧନ ଦିଗରେ ସମସ୍ତ ଅଧିକାରୀ ପ୍ରତିବଦ୍ଧ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ପରବର୍ତ୍ତୀ ସମ୍ପାନରେ ହସ୍ତଶିଳ୍ପର ସାମ୍ପ୍ରତିକ ସ୍ଥିତି ଓ ଏହାର ବିକାଶ ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆସିଥିବା ହସ୍ତଶିଳ୍ପ କ୍ଷେତ୍ର ଅଧିକାରୀମାନଙ୍କୁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା । ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ ପୁଞ୍ଜରେ ଥିବା ହସ୍ତଶିଳ୍ପ କାରିଗରମାନଙ୍କ ସାମୁହିକ ବିକାଶ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଏହି ଅବସରରେ ବିଷଦ ଆଲୋଚନା ହୋଇଥିଲା । ବିଭାଗ ଦ୍ୱାରା ନିର୍ମିତ “ସାଧାରଣ ସୁବିଧା କେନ୍ଦ୍ର” ଓ “ହସ୍ତଶିଳ୍ପ ପର୍ଯ୍ୟଟନ କେନ୍ଦ୍ର”ର ପରିଚାଳନା ପାଇଁ ପ୍ରସ୍ତୁତ ମାର୍ଗଦର୍ଶିକାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସେହିପରି “ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନ” ଓ “ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମି” ଦ୍ୱାରା ହସ୍ତଶିଳ୍ପର ବିକାଶ ଓ ପ୍ରଚାର ପ୍ରସାର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରଯାଇଥିଲା । କାରିଗରମାନଙ୍କ ଦ୍ୱାରା ହସ୍ତଶିଳ୍ପ ସାମଗ୍ରୀର ବ୍ୟବସାୟୀକରଣ ପାଇଁ “ଉତ୍କଳିକା” ଦ୍ୱାରା ପ୍ରଦାନ କରାଯାଉଥିବା ସୁବିଧା, ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରଯାଇଥିଲା । ବିଭାଗ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା କିପରି ତୃଣମୂଳ ସ୍ତରରେ କାରିଗର ଓ ବୁଣାକାରମାନଙ୍କ ନିକଟରେ ପହଞ୍ଚି ପାରିବ, ସେ ଦିଗରେ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରୀୟ ଯୋଜନା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା ।