
ଭୁବନେଶ୍ୱର:ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ରୁଟ୍ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରି ଏହାର କାର୍ଯ୍ୟକ୍ଷେତ୍ର, ଆଗାମୀଦିନରେ ଆରମ୍ଭ ହେବାକୁ ଯାଉଥିବା ନୂତନ ସେବା ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ଭିତ୍ତଭୂମି ବିକାଶ, ଆଠଟି ନୂତନ ସହରରେ ଆମ ବସ୍ ସେବାର ସମ୍ପ୍ରସାରଣ ଏବଂ ଡ଼ିଜିଟାଲ ମାଧ୍ୟମରେ କିପରି ଅଧିକ ଯାତ୍ରୀ ଟିକେଟ୍ କରିପାରିବେ ଏହା ଉପରେ ବ୍ୟାପକ ଆଲୋଚନା କରିଛନ୍ତି।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡା. ତିରୁମାଲା ନାୟକ କଟକର ନରାଜ, ଭୁବନେଶ୍ୱରର ପୋଖରିପୁଟ, ରାଉରକେଲାର ଛେଣ୍ଡ, ବ୍ରହ୍ମପୁରର ହଳଦିଆପଦର, ଏବଂ ସମ୍ବଲପୁରରେ ଇଲେକ୍ଟିକ୍ ଡିପୋ ନିର୍ମାଣର ଅଗ୍ରଗତି ବିଷୟରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, ବାରିପଦା, ଅନୁଗୁଳ ଏବଂ ଝାରସୁଗୁଡ଼ାରେ ଆମ ବସ୍ ସେବା ପରିଚାଳନା ପାଇଁ ସମ୍ପ୍ରସାରଣ ଯୋଜନା ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ପ୍ରଦାନ କରିଥିଲେ।
ଗସ୍ତ ସମୟରେ, ଡକ୍ଟର ମହାପାତ୍ର କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିଥିଲେ। ଯେଉଁଠାରେ ସେ ଓଡ଼ିଶା ଯାତ୍ରୀ ଏବଂ କ୍ରୁଟ୍ ପାଇଁ ରିଅଲ୍-ଟାଇମ୍ ବସ୍ ଟ୍ରାକିଂ, ଯାତ୍ରୀ ଅଭିଯୋଗ ସମାଧାନ ବ୍ୟବସ୍ଥା ପର୍ଯ୍ୟବେକ୍ଷଣ କରିଥିଲେ। ସେ ସମନ୍ୱିତ ପ୍ରଯୁକ୍ତିବିଦ୍ୟା-ଆଧାରିତ କାର୍ଯ୍ୟଗୁଡ଼ିକୁ ପ୍ରଶଂସା କରିଥିଲେ ଯାହା ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାକୁ ଉନ୍ନତ ଏବଂ କାର୍ଯ୍ୟକ୍ଷେତ୍ରରେ ସମସ୍ୟାର ତୁରନ୍ତ ପ୍ରତିକ୍ରିୟା ପ୍ରଦାନ କରିବାରେ ସହାୟକ ହେଉଛି।
ଆମ ବସ୍ରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସେବା ଯୋଗାଇରେ ଉନ୍ନତି ଏବଂ କର୍ମଚାରୀଙ୍କ ପ୍ରେରଣା ବୃଦ୍ଧି ପାଇଁ, ଯାତ୍ରୀମାନଙ୍କ ମତାମତ ଆଧାରରେ କି ପରଫର୍ମାନ୍ସ ଇଣ୍ଡିକେଟର (କେପିଆଇ) ପ୍ରୋତ୍ସାହନ ପ୍ରଚଳନ କରିବାକୁ ସୁପାରିଶ କରିଛନ୍ତି। ଏହା ସହିତ, ସେ ରାଜ୍ୟର ଚାରୋଟି ସରକାରୀ ଭାରୀଯାନ ଚାଳନା ତାଲିମ ପ୍ରତିଷ୍ଠାନରେ ସମସ୍ତ ଡ୍ରାଇଭରମାନଙ୍କ ପାଇଁ ବାଧ୍ୟତାମୂଳକ ରିଫ୍ରେସର ତାଲିମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାତ୍ରୀମାନଙ୍କ ସହିତ ବୃତ୍ତିଗତ ଏବଂ ସୌଜନ୍ୟପୂର୍ଣ୍ଣ ପାରସ୍ପରିକ କ୍ରିୟା ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱରର ଓଡ଼ିଶା ଅର୍ବାନ ଏକାଡେମୀରେ ଉନ୍ନତ ବ୍ୟବହାର ଓ ଆଚରଣଗତ ତାଲିମରେ ଅଂଶୀଭୁତ କରିବା ପାଇଁ କହିଛନ୍ତି।
ମନ୍ତ୍ରୀ ଡିଜିଟାଲାଇଜେସନ୍ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ ଏବଂ ଏହି ବର୍ଷ ଶେଷ ସୁଦ୍ଧା ଅନ୍ଲାଇନ୍ ଟିକେଟିଂରେ ସମୁଦାୟ ଯାତ୍ରୀଙ୍କର ୫୦% ପର୍ଯ୍ୟନ୍ତ ଲକ୍ଷ୍ୟ ରଖି ଡିଜିଟାଲ୍ କାରବାର ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେଭଳି ଅନ୍ୟ ପ୍ରଯୁକ୍ତି-ସମ୍ପନ୍ନ ହସ୍ତକ୍ଷେପ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ ନିମ୍ନ ବିନ୍ଦୁଗୁଡ଼ିକ ଅନ୍ତର୍ଭୁକ୍ତ:
ସମସ୍ତ ସହରରେ ଡ଼ିଜିଟାଲ୍ ଆମ ବସ୍ ପାସ୍ ସୁବିଧା
ନ୍ୟାସ୍ନାଲ୍ କମନ୍ ମୁବିଲିଟି (ଏନ୍ସିଏମ୍ସି) କାର୍ଡ଼ ପ୍ରଚଳନ
ହ୍ୱାଟ୍ସଆପ୍ ଟିକେଟିଂ ସୁବିଧାର ପ୍ରଚଳନ
ଆଡ଼ଭାନ୍ସଡ଼ ଡ଼୍ରାଇଭର୍ ଆସିଷ୍ଟାଣ୍ଟ ସିଷ୍ଟମ୍ର ବ୍ୟବହାର
ଗ୍ରିଡ଼୍କୋ ଏବଂ ଏନ୍ଟିପିସି ସହଯୋଗରେ ତିନୋଟି ହାଇଡ୍ରୋଜେନ୍ ଚାଳିତ ବସ୍ର ଚଳାଚଳ
ବର୍ତ୍ତମାନ, କ୍ରୁଟ୍ କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁରରେ ୧୦୬ଟି ରୁଟରେ ୫୬୦ଟି ଆମ ବସ୍ (୩୮୦ଟି ଡିଜେଲ୍ ଏବଂ ୧୮୦ଟି ଇଲେକ୍ଟ୍ରିକ୍ ବସ୍) ପରିଚାଳନା କରୁଛି, ଯାହା ଦୈନିକ ଲକ୍ଷାଧିକ ଯାତ୍ରୀଙ୍କୁ ସୁଲଭ ଏବଂ ନିର୍ଭରଯୋଗ୍ୟ ଯାତାୟତ ସେବା ଯୋଗାଇଆସୁଛି।
କ୍ରୁଟ୍ ଦ୍ୱାରା ଚଳାଚଳ କରୁଥିବା ସହରଗୁଡ଼ିକରେ ବସ୍ ମାଧ୍ୟମରେ ଯାତାୟତ ସେବାରେ ଉନ୍ନତି ଦିଗରେ ଏହାର ଭୂମିକା ଓ କ୍ରୁଟ୍ ପକ୍ଷରୁ ଆରମ୍ଭ ହେବାକୁ ଥିବା ପଦକ୍ଷେପ ଯୋଗୁଁ ପ୍ରଶଂସା କରିବା ସହିତ ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଦୃଷ୍ଟିକୋଣକୁ ପୁନରାବୃତ୍ତି କରିଛନ୍ତି।
ଆଜିର ଏହି ସମୀକ୍ଷା ବୈଠକରେ କ୍ରୁଟ୍ ମହା ପ୍ରବନ୍ଧକ (ଓଆଣ୍ଡଏମ୍) ଶ୍ରୀ ସଞ୍ଜୟ ବିଶ୍ୱାଳ ଏବଂ ମହା ପ୍ରବନ୍ଧକ (ପିଆଣ୍ଡ୍ଏ) ଶ୍ରୀ ସହଦେବ ସମଧିଆଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।