
ପୁରୀ– ପୁରୀ ଜିଲ୍ଲାରେ ଲଘୁଜ ଖଣି ସମ୍ପଦ ବାଲି, ମାଟି, ମୋରମ ଦିନ ଦ୍ଵିପ୍ରହରରେ ପ୍ରଶାସନ ଓ ଅଧିକାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ହଜାର କୋଟି ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅବସ୍ଥାପିତ ଜଣେ ଖଣି ଅଧିକାରୀ ବାଲିମାଫିଆଙ୍କ ଠାରୁ ସୌଖୀନ ଗାଡି ଉପହାର ନେଇ ହାତ ଟେକି ଦେଇଥିବା ଆଲୋଚନା, ଚର୍ଚ୍ଚା ଓ ଶୁଣାଯାଉଛି । ରାତିରେ ଜିଲ୍ଲାର ୧୧ ବ୍ଲକରେ ପ୍ରାୟ ଦୁଇ ହଜାର ଟ୍ରାକ୍ଟର, ହାଇୱା, ଟ୍ରକ ଖୁଲମଖୁଲା ବିଭିନ୍ନ ନଦୀ ଘାଟରୁ ବାଲିଲୁଟ କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ଧର୍ମକୁ ଆଖିଠାର ପରି ଦୁଇ ତିନୋଟି ଟ୍ରାକ୍ଟର ସିଜ୍ କରି ଅତି ପ୍ରଚାର କରୁଥିବା ଦେଖାଯାଉଛି । ଚତୁରତାର ସହିତ ବାଲିମାଫିଆ ମାନେ ଖଣି ଅଧିକାରୀ, ତହସିଲଦାର, ସଂପୃକ୍ତ ଥାନା ଅଧିକାରୀ ଓ ରାଜସ୍ବ ନିରୀକ୍ଷକଙ୍କୁ ହାତ କରି ଖୁଲମଖୁଲା ବାଲିଲୁଟ କରୁଥିବା ଅଭିଯୋଗ ହେଉଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ମାଣିକପାଟଣା, ବାଲି ହରଚଣ୍ଡୀ, ଗିରଳ, ବେଲେଶ୍ୱର ଠାରୁ ଚନ୍ଦ୍ରଭାଗା ଓ ଅସ୍ତରଙ୍ଗ ପର୍ଯ୍ୟନ୍ତ ସମୁଦ୍ରକୂଳରେ ଥିବା ହଜାର ହଜାର ବାଲିବନ୍ତ ଏବେ ଶୂନ ହେବାକୁ ବସିଲାଣି । କୋଟି କୋଟି ଟଙ୍କାର ବେପାର ପାଇଁ ଜିଲ୍ଲାର ଶହେରୁ ଉର୍ଦ୍ଧ୍ବ ଗାଁ ସମୁଦ୍ରର ଆଁରେ ପଶି ଯିବାର ଆଶଙ୍କା ସୃଷ୍ଟି ହେଲାଣି । ଦୟା, ଭାର୍ଗବୀ, ରାଜୁଆ ଓ ଧନୁଆ ନଦୀରୁ ଦିନରାତି ବାଲି ଚୋରାଚାଲାଣ ଯୋଗୁ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି । ବିଭିନ୍ନ ସମୟରେ ପ୍ରଶାସନକୁ ହାତବାରିସି କରି ଖାଉ ବାଲିମାଫିଆ ଓ ଅଖାଉ ବାଲିମାଫିଆ ମାନେ ରାତିରେ ମୁହାଁମୁହିଁ ହେଉଥିବା କୁହାଯାଉଛି । ପୋତାବାଲି, ରଫବାଲି, ମାଟିମିଶା ବାଲି, ମଟାଳ ମାଟି, ବର୍ଣ୍ଣମାଟି, କଳାମାଟି, ବାଲିମିଶା ମାଟି ଚଢା ଦରରେ ଟ୍ରାକ୍ଟର ମାଲିକ ଖଣିଜ ସମ୍ପଦ ଲୁଟ କରୁଥିଲେ ମଧ୍ୟ ସେଥିପ୍ରତି କଡା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି । ବାଲିଲୁଟରେ ପୁରୀ ଜିଲ୍ଲା ଆଗରେ ରହିଛି ବୋଲି କିଛିଦିନ ତଳେ ଖଣି ବିଭାଗ ସ୍ବୀକାର କରିଛି । ସହରରେ ଗଢି ଉଠୁଥିବା ଶହ ଶହ ନୂଆ ଘର ପାଇଁ ରଫବାଲିର ଆବଶ୍ୟକ ହେଉଛି । ଜଣେ ଜଣେ ଘର ମାଲିକଙ୍କର ଶହେରୁ ଦୁଇଶହ ଟ୍ରାକ୍ଟର ପୋତା ବାଲି ଆବଶ୍ୟକ ପଡୁଥିବା ବେଳେ ବାଲିମାଫିଆ ଠିକା ନେଇ ରାତି ପାହିଲା ବେଳକୁ ବାଲି ଫିଲପ କରୁଥିବା ଦେଖାଯାଇଛି । ଧରପଗଡ ହେଉଛି କହି ବାଲି ରେଟ ବଢା ଯାଉଛି । ପିପିଲିର ଦୟା ନଦୀରେ ୬ଟି ଓ ଭାର୍ଗବୀରେ ୧୦ଟି ମିଶି ଏପରି ୧୬ଟି ବେଆଇନ ବାଲିଘାଟରୁ ବାଲି ଉତ୍ତୋଳନ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଟିପ୍ପରରେ ବାଲି ଆସୁଥିବାରୁ ରାସ୍ତାଘାଟ ନଦୀବନ୍ଧ ଫାଟିବା ସହ ନଦୀବନ୍ଧ ଭୁସୁଡୁଥିବା ଦେଖିବାକୁ ମିଳୁଛି । କେତେକ ବାଲିମାଫିଆ ୧୫ ଫୁଟ ଉଚ୍ଚର ପାଚେରୀ କରି ଓ ବଡ ଗେଟ ଲଗାଇ ପର୍ବତ ପରି ବାଲି ଗଦାକରି ରଖୁଛନ୍ତି । ବର୍ଷା ଦିନେ ଏହି ବାଲି ଷ୍ଟକରୁ ଚଢା ଦରରେ ବିକ୍ରି କରୁଛନ୍ତି । କେତେକ ବାଲିମାଫିଆ ଥାନା ବାବାଙ୍କୁ ଏସି, ଫ୍ରିଜ, ୱାସିଙ୍ଗମେସିନ ଓ ଦାମୀ କୁଲର ଗିଫ୍ଟ ଦେଉଥିବା କୁହାଯାଉଛି । ବାଲିଲୁଟ ରୋକିବା ପାଇଁ ଏକ ଟିମ ରହିଛି । ସେହି ଟିମରେ ତହସିଲଦାର ମୁଖ୍ଯ ରହିଛନ୍ତି । ଖଣି ଅଧିକାରୀ ଓ ସଂପୃକ୍ତ ଥାନା ମିଳିତ ଚଢଉ କରି ବାଲିଲୁଟ ରୋକିବା ବିଧି ରହିଛି । ଅଧିକାରୀ ମାନଙ୍କ ତାଳମେଳ ରହୁନଥିବାରୁ ବାଲିମାଫିଆଙ୍କ ପାଇଁ କଚେ ପୁଅ ବାର ହୋଇଛି । ପିପିଲି ଦୟା ନଦୀର ଶୁଆ ବଜାର, ଗୋବର୍ଦ୍ଧନପୁର, ପନ୍ଦରମାଣ, ତୋଟାପଡା, ତରଡା ଓ ଭାର୍ଗବୀ ନଦୀର ଉତରା, ପାଟଳିକୁଦା, ମଙ୍ଗଳପୁର, ରଙ୍ଗପଡା, ସମରେଇ, ପାରିଚଁଅର, ଦେଉଳି, ଚଉଦମାଣ ଆଦି ଅଞ୍ଚଳରୁ ବାଲି ଚୋରି ବୃଦ୍ଧି ପାଉଛି । ନଦୀରୁ ବାଲି ଆଣିବା ପାଇଁ ନଦୀବନ୍ଧକୁ କାଟି ସ୍ଲୋପ କରାଯାଉଛି । ବନ୍ଯା ସମୟରେ ସେହି ସ୍ଥାନରେ ଗଳିଆପଡି ଘାଇ ସୃଷ୍ଟି ହେବା ଯୋଗୁ ଅଞ୍ଚଳବାସୀଙ୍କ ଧନ ଜୀବନ ଓ ଫସଲ ନଷ୍ଟ ହେଉଛି । ଟ୍ରାକ୍ଟର, ଟ୍ରିପର ଧରାପଡିଲେ ଚକ୍ରଧର ରକ୍ଷାକର କହୁଥିବା ବେଳେ ଧରାନପଡିଲେ ଚକ୍ରଧର ଛୁ…କହୁଛନ୍ତି । ପୁରୀ ସଦରବ୍ଲକ ଢୋଲ ବିରଞ୍ଚିଦାସପୁର, ଚାଳିଶି ବାଟିଆ, ଗଡମୃଗଶୀରା, ପିତେଇପୁର, କାଠପୋଲ, ତିଆଡି ସାହି, ଦଣ୍ଡା, ଝିଙ୍କିରିଆ, ବାଲିପଡା, ବାଙ୍ଗୁରୁବା ଓ କାଳିଆକେରା ଆଦି ଗ୍ରାମ ନିକଟରେ ଚୋରା ବାଲି ହାଇୱା ରାତିରେ ଯାତାୟତ ଯୋଗୁ ରାସ୍ତା ଫାଟିବା ଅଭିଯୋଗ ହେଉଛି । ଏଠାରେ ଅବସ୍ଥାପିତ ଖଣି ଅଧିକାରୀ ବେଳେ ବେଳେ ଛୁଟିରେ ଯାଇ ଖୋର୍ଦ୍ଧା ଅଧିକାରୀଙ୍କୁ ଦାୟୀତ୍ବ ଦେଉଛନ୍ତି । କିଛିଦିନ ତଳେ ୮ଟି ହାଇୱା ଅଟକ ରଖି ୬ଟି ଦର୍ଶାଯାଇଥିବା ବେଳେ ସେଗୁଡିକ ସିଜ୍ ନକରି କାହା ଆଦେଶ ବଳରେ ଛାଡି ଦିଆଗଲା ବୋଲି ପୁରୀରେ ଚର୍ଚ୍ଚା ହେଉଛି । ଏହି ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ବୁଦ୍ଧଜୀବୀ ମହଲରୁ ଦାବି ହେଉଛି ।