
-
ବିଜେଡ଼ି ଓ କଂଗ୍ରେସ ଦଳ ୩୫ ବର୍ଷ ଧରି ଛଳନା କରି ଆସିଥିଲେ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର– ଓଡ଼ିଶାରେ ସାମାଜିକ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ । କୋର୍ଟ କଚେରିର ବାହାନା ଦେଖାଯିବା ସହ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୯୦ ମସିହାରୁ ମଣ୍ଡଳ କମିଶନ ଲାଗୁ ହେବା ପରେ ବି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଏପରି ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଏବଂ ବିଜେଡି ଶାସନ ଦାୟିତ୍ୱରେ ଥିଲେ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ୱରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ କମିଶନର ପରାମର୍ଶ ଥିଲା । ଭାରତବର୍ଷର ଏକମାତ୍ର ରାଜ୍ୟ ଭାବରେ ଓଡ଼ିଶାରେ ଏସଇବିସି ତାଲିକାକୁ କୋର୍ଟ କଚେରିର ବାହାନା ଦେଖାଇ ଗ୍ରହଣ କରାଯାଉନଥିଲା । ଅତୀତରେ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା । ପୂର୍ବ ସରକାର ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଥିଲେ । ଏହା ଓଡ଼ିଶାର ସାମାଜିକ ନ୍ୟାୟକୁ ବହୁତ ବଡ କୁଠାରଘାତ ହୋଇଥିଲା । ଓଡ଼ିଶା ଏକ ମାତ୍ର ରାଜ୍ୟ ଥିଲା, ଯେଉଁ ରାଜ୍ୟରେ ସାମାଜିକ ନ୍ୟାୟକୁ ଅଣଦେଖା କରାଯାଇଥିଲା । ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ସେ ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସାମାଜିକ ନ୍ୟାୟ ପ୍ରତି ପ୍ରତିଶ୍ରୁତିବଦ୍ଧ । ତେବେ ଏକ ରାଜ୍ୟରେ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିୟମ ପରିଧିରେ ଅଛି । ରାଜ୍ୟରେ ସବୁ ସଂରକ୍ଷଣ ଲାଗୁ ହେବା ପରେ ଆଉ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବାକି ରହିଥିଲା । ଗତକାଲି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତର ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଛି, ଯାହା ଡବଲ ଇଞ୍ଜିନ ସରକାରର ସାମାଜିକ ନ୍ୟାୟ ପ୍ରତି ଥିବା ପ୍ରତିବଦ୍ଧତାର ଉଦାହରଣ ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପତ୍ର ଲେଖି ଏହି ଆର୍ôଥକ ଅନଗ୍ରସର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ମେଡ଼ିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଥିଲି । ଉଚ୍ଚ ଶିକ୍ଷାରେ ସଂରକ୍ଷଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଆଗାମୀ ଦିନରେ ବୈଷୟିକ ଶିକ୍ଷା ଏବଂ ଡ଼ାକ୍ତରୀ ଶିକ୍ଷାରେ ମଧ୍ୟ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯିବ । ସେହିପରି ଓଡ଼ିଶାରେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଚାକିରିରେ ଯେତେ ଆରକ୍ଷଣ ଅଛି, ସେତେ ମାତ୍ରାରେ ଶିକ୍ଷା କ୍ଷେତ୍ରରେ ଆରକ୍ଷଣର ବ୍ୟବସ୍ଥା ନାହିଁ । ସର୍ବଭାରତୀୟ ସ୍ତରରେ ଯେଉଁ ଅନୁପାତ ଅଛି, ସେହି ଅନୁପାତକୁ ଦେଖି ଏଠାରେ ଅନୁରୂପ ବ୍ୟବସ୍ଥା ହେବା ଦରକାର ।
ଅପରପକ୍ଷରେ ଦେଶରେ ଉଚ୍ଚ ବର୍ଗର ଗରିବ ପିଲାମାନଙ୍କୁ ମଧ୍ୟ ସାମାଜିକ ନ୍ୟାୟରୁ ବଞ୍ଚିତ ନକରିବା ପାଇଁ ସେମାନଙ୍କୁ ପାଠପଢା ଓ ଚାକିରିରେ ସୁଯୋଗ ଦେବା ପାଇଁ ସଂରକ୍ଷଣ ତାଲିକାରେ ଇଡବ୍ଲୁଏସ ବର୍ଗକୁ ଏଥିରେ ଯୋଡାଯାଇଛି । ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ନ ଦେବା ପାଇଁ ଓଡ଼ିଶାରେ ଉଚ୍ଚ ବର୍ଗର ଗରିବ ପିଲାମାନଙ୍କୁ ମଧ୍ୟ ଅଧିକାରରୁ ବଞ୍ଚିତ କରିଥିଲେ । ଏସଇବିସି ଓ ଓବିସି ବର୍ଗଙ୍କୁ ସରକାରୀ ସେବା ଓ ଶିକ୍ଷାନୁଷ୍ଠାନରେ ଇଡବ୍ଲୁଏସ କୋଟା ପ୍ରଦାନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅବଗତ କରାଯାଇଥିବା ମତ ପ୍ରକାଶ କରିଛନ୍ତି ।