
-
ହସ୍ତତନ୍ତ ଓ ହସ୍ତଶିଳ୍ପ ଏ ଜାତିର ପରିଚୟ: ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ
-
ବୁଣାକାର, କାରିଗର ଓ ରେଶମ ଚାଷୀଙ୍କ ହିତକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
-
ଅଧିକ ସୁଦୃଢ ହେବ ବିପଣନ ବ୍ୟବସ୍ଥା, ଅନଲାଇନ ଓ ବିଶ୍ୱବଜାରରେ ଉପଲବ୍ଧ ହେବ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ
-
ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ଵାରୋପ
ଭୁବନେଶ୍ୱର,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗରେ କାର୍ଯ୍ୟରତ କ୍ଷେତ୍ର ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ବୈଠକ ଆଜିଠୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍ଘାଟନ କରି କହିଛନ୍ତି, ହସ୍ତତନ୍ତ ଓ ହସ୍ତଶିଳ୍ପ ଓଡ଼ିଆ ଜାତିର ଅନ୍ୟତମ ପରିଚୟ । ଏହି ସମୃଦ୍ଧ ପରମ୍ପରାକୁ ଆଗକୁ ନେବାକୁ ହେଲେ ବିପଣନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେବ । ଅନଲାଇନ ସହ ବିଶ୍ୱବଜାରରେ ଆମ ସାମଗ୍ରୀକୁ ଉପଲବ୍ଧ କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ତା ସହ ବୁଣାକାର, କାରିଗର ଓ ରେଶମ ଚାଷୀଙ୍କ ହିତକୁ ପ୍ରାଥମିକତା ଦେଇ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ତାହାର ସଫଳତା ଓ ଦକ୍ଷତା ବୃଦ୍ଧି ଉପରେ ସବିସ୍ତୃତ ସମୀକ୍ଷା କରିଥିଲେ । ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ, ଅମ୍ଳାନର ସମୃଦ୍ଧି ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ସମସ୍ତ ପ୍ରକାର ରେଶମ ଯଥା ମୁଗା, ଟସର, ଏରି, ମଲବେରୀ , ଆଦି ରେଶମ ଚାଷ ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।
ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସାମଗ୍ରୀ ଉତ୍ପାଦନରେ ନୂଆ ଡିଜାଇନ୍, ଉନ୍ନତ ପ୍ୟାକେଜିଙ୍ଗ, ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ, ବଜାର ସଂଯୋଗ ଓ ନୂଆ କ୍ଲଷ୍ଟର୍ ନିର୍ମାଣ ଉପରେ ଗୁରୁତ୍ଵାରୋପ କରିଥିଲେ । ସେହିପରି ବୁଣାକାର ଓ କାରିଗରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ସମ୍ପର୍କରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ ଦିଗଦର୍ଶନ ଦେଇଥିଲେ ।
ହସ୍ତଶିଳ୍ପ ନିର୍ଦ୍ଦେଶିକା ତଥା ବୟନିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ତଥା ଯୁଗ୍ମ ସଚିବ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ବୟନଶିଳ୍ପ, ରେଶମ ଓ ହସ୍ତଶିଳ୍ପର ଉପ ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କ୍ଷେତ୍ର ଅଧିକାରୀମାନେ ଯୋଜନା କାର୍ଯ୍ୟକାରୀ ସମୟରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ ।
ସୂଚନାଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ୨୩୭୫ ଜଣ ବୁଣାକାରଙ୍କୁ ୱର୍କ ସେଡ ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯାଇଥିବା ବେଳେ ୭୬୨ ଜଣଙ୍କୁ ତନ୍ତ ଗର୍ତ୍ତ ଢଳେଇ କରଣ, ୯୪୨୮ ଜଣଙ୍କୁ ଲାଇଟିଙ୍ଗ ୟୁନିଟ୍, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମାଧ୍ୟମରେ ୫୬୭ ଜଣଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ, ୪୮୪୨ ଜଣଙ୍କୁ ହସ୍ତତନ୍ତ ଉପକରଣ ଯୋଗାଇ ଦିଆଯାଇଛି ।