
ଜୟପୁର -କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ରବିଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ,କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜୟପୁର ଉପ ଜିଲ୍ଲାପାଳ ଏ ଶସ୍ୟା ରେଡ୍ଡୀ,କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କ ସହ ମିଲର୍ସ ଓ ଚାଷୀ ମାନେ ଉପସ୍ଥିତ ଥିଲେ। କୋରାପୁଟ ଜିଲ୍ଲାରେ ୭୩ ଟି ମଣ୍ଡିରୁ ଧାନ କ୍ରୟ କରାଯିବ ବୋଲି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ଜୟପୁର ଉପଖଣ୍ଡ ରେ ୬୪ ଏବଂ କୋରାପୁଟ ଉପଖଣ୍ଡରେ ୯ ଟି ମଣ୍ଡି ଖୋଲାଯିବ ବୋଲି ସେ କହିଛନ୍ତି।ଆସନ୍ତା ୨୫ ତାରିଖରୁ ମଣ୍ଡି ଶୁଭାରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି । ଚଳିତ ରବିଋତୁରେ ୮ ଲକ୍ଷ କ୍ଵିଣ୍ଟାଲ ଧାନ କ୍ରୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମଣ୍ଡି ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ତୁରନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଜୟପୁରରେ ଗୋଦାମ ଗୃହ ନିର୍ମାଣ କରିବାକୁ ବିଧାୟକ ଶ୍ରୀ ବାହିନୀପତି ପ୍ରସ୍ତାବ ରଖିଥିଲେ।ଏଥି ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ଖରିଫ ଋତୁ ପୂର୍ବରୁ ଗୋଦାମ ଗୃହ ନିର୍ମାଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟ ପକ୍ଷରେ ବର୍ତ୍ତମାନ ଗୋଦାମ ଗୃହ ଅଭାବ ଯୋଗୁଁ ରବି ଧାନ କିଣିବାକୁ ମିଲର୍ସ ମାନେ ରାଜି ନ ହେବାରୁ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ଗୋଦାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆଜିର ବୈଠକ ଗୁରୁତ୍ଵପୂର୍ଣ୍ଣ ଓ ଏହା ସମ୍ପୂର୍ଣ୍ଣ ଭାବେ ଚାଷୀଙ୍କ ସହ ଜଡ଼ିତ, କିନ୍ତୁ ପରିତାପର ବିଷୟ ଯୋଗାଣ ବିଭାଗ ରାଜନୈତିକ ଚାପରେ ଦଳୀୟ ମନୋଭାବ ରଖି ମାତ୍ର ୫ ଜଣ ଚାଷୀଙ୍କୁ ଡାକିଥିବା ଜୟପୁର ବିଧାୟକ ଅଭିଯୋଗ କରି ଅଧିକାରୀ ମାନେ ଚାଷୀ ମାନଙ୍କୁ ଦଳୀୟ ଭିତ୍ତିରେ ବିଭାଜନ କରୁଥିବା କହି ବର୍ଷିଥିଲେ। ସିଡିଏଓ ଚାଷୀ ମାନଙ୍କ ନାମ ଦେଇଥିଲେ ବୋଲି ଯୋଗାଣ ଅଧିକାରୀ ବୈଠକରେ ପ୍ରକାଶ କରିଥିଲେ । ତୁରନ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟକ ଶ୍ରୀ ବାହିନୀପତି ଦାବି କରିଛନ୍ତି।ଏଥିରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଆସନ୍ତା ଦିନରେ ପ୍ରତି ବ୍ଲକରୁ ଜଣେ ଚାଷୀଙ୍କୁ ଡାକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଲର୍ସ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କଷ୍ଟମ ମିଲିଂ ଠାରୁ ଆରଂଭ କରି ଧାନ ଷ୍ଟକ୍ ରଖିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଯୋଗାଇ ଦିଆଯାଉଥିଲେ ମଧ୍ୟ ମିଲର୍ସ ମାନଙ୍କ ମନମାନି ଯୋଗୁଁ ଜିଲ୍ଲାରେ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଚାଷିମାନେ ଅଭିଯୋଗ କରିଛନ୍ତି। ଏହି ବୈଠକରେ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ଚାଷୀ ରହିଥିବା ବେଳେ ସମସ୍ତ ଚାଷୀଙ୍କୁ ସୂଚନା ମିଳିନଥିବା କହିଛନ୍ତି ଜିଲ୍ଲାର ଅନେକ ଚାଷୀ। ଏଥି ପ୍ରତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ ଶୈଳୀକୁ ନେଇ ବୈଠକରେ ଅନେକ ସମାଲୋଚନା କରାଯାଇଛି।