
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ବଡ଼ଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ପୁରୀ ଡ୍ୟାନ୍ସ ଏକାଡେମୀର ରୌପ୍ୟ ଜୟନ୍ତୀ ଅବସରରେ ଶାସ୍ତ୍ରୀୟ ନୃତ୍ୟ ସନ୍ଧ୍ୟା ଓ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ସମ୍ବନ୍ଧିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ସମୟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟିତ ହୋଇଥିଲା। ସାହିତ୍ୟ ଆଲୋଚନା ଚକ୍ରରେ ବରିଷ୍ଠ ସଙ୍ଗୀତ ଗୁରୁ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ଶତପଥୀ, ବିଶିଷ୍ଟ ସାହିତ୍ୟକ ଶ୍ରୀଯୁକ୍ତ ନାରାୟଣ ନନ୍ଦ, ଶ୍ରୀଯୁକ୍ତ ଶିବ ସୁନ୍ଦର ମିଶ୍ର ଓ ଶ୍ରୀଯୁକ୍ତ ଶ୍ୟାମପ୍ରକାଶ ସେନାପତି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି “ଓଡ଼ିଆ ସଙ୍ଗୀତ ନୃତ୍ୟରେ ସାହିତ୍ୟର ଆବେଗ” ବିଷୟରେ ଆଲୋଚନା କରିଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନେ ମଙ୍ଗଳା ଚରଣ ବିଷ୍ଣୁ ବନ୍ଦନା, ରାଧା ରାଣୀ ସଙ୍ଗେ ନାଚନ୍ତି ମୁରଲୀ ପାଣି, ଦ୍ଵୀପମଜ୍ୟୋତି ଆଦି ନୃତ୍ୟ ପରିବେଷଣ କରିଥିଲେ।ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥଲା।ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଗୌର ହରି ପ୍ରଧାନ, ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ସୋମନାଥ ଖୁଣ୍ଟିଆ ଏବଂ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି କଳାକାର ରୂପେ ନବପ୍ରତିଭା, କଳା ଶ୍ରୀନିକେତନ, ରୂପା ଆଣ୍ଡ ଟ୍ରୁପ୍ ଓ କୁମାରୀ ଜ୍ୟୋତିଶ୍ରୀ ମହାପାତ୍ରଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ପୁରୀ ଡ୍ୟାନ୍ସ ଏକାଡେମୀ ର ଛାତ୍ର ଛାତ୍ରୀ ମାନେ ଧାୟତ ସୁବର୍ଣା ବର୍ଣ୍ଣା, ସାବେରୀ ପଲ୍ଲବୀ, ଶିବ ତାଣ୍ଡବ, ପାରମ୍ପରିକ ଚନ୍ଦନ ଯାତ୍ରା ସଙ୍ଗୀତ ଗୀତ ଗୋବିନ୍ଦ ଆଦି ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ଓ ଶ୍ରୀମତୀ ରୋଜାଲିନ ମହାନ୍ତି ସଭା ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।