
ଭୁବନେଶ୍ଵର, ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର ଉତ୍କୃଷ୍ଟ ହସ୍ତଶିଳ୍ପକୁ ଆଗେଇ ନେବାରେ ଉତ୍କଳିକାର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ ।
ଉତ୍କଳିକା ସଭାପତି କୁମାରୀ ଦେବସ୍ମିତା ସାହୁ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଉପ-ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତୀ ଛୋଟରାୟ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ମଧୁମିତା ରଥ, ଯୁଗ୍ମ ସଚିବ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ପରିଚାଳନା ପରିଷଦର ସଭ୍ୟ/ସଭ୍ୟା ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଓଡ଼ିଶା ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ତଥା ହସ୍ତଶିଳ୍ପ କାରିଗରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ନିମନ୍ତେ ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ, (ଉତ୍କଳିକା) ୧୩.୦୫.୧୯୯୫ ମସିହାରେ ଗଠନ କରାଯାଇଥିଲା । ମହିଳାମାନଙ୍କର ଅନ୍ତର୍ଭୁକ୍ତୀକରଣ, ରୋଜଗାରର ଅବଲମ୍ବନ ଓ ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବାରେ ଏହାର ପ୍ରମୁଖ ଭୂମିକା ରହିଛି । ଏହି ଶୀର୍ଷ ସମବାୟ ଅନୁଷ୍ଠାନରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ୧୧୭ ଗୋଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଅଛନ୍ତି ।
ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ଉତ୍କଳିକା ରାଜ୍ୟ ଭିତରେ ୧୨ ଗୋଟି ଶାଖା ଯଥା ଭୁବନେଶ୍ଵର ର ମାର୍କେଟ ବିଲ୍ଡିଂ, ଏକାମ୍ର ହାଟ, କଳାଭୂମି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ରସୁଲଗଡ ଏବଂ କଟକ, ଜୟପୁର, କେନ୍ଦୁଝର, ସମ୍ବଲପୁର, ରାଉଲକେଲା, ଅନୁଗୁଳ, ପୁରୀ ଓ ରାଜ୍ୟ ବାହାରେ ୬ ଗୋଟି ନୂଆ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁନେ, କଲିକତା ଓ ମୁମ୍ବାଇ ଠାରେ ସର୍ବମୋଟ ୧୮ ଟି ଶାଖା କାର୍ଯ୍ୟ କରୁଅଛି । ସ୍ଵତନ୍ତ୍ର ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଉତ୍ପାଦ ଗୁଡିକର ପ୍ରଦର୍ଶନ ଏବଂ ଅନଲାଇନ ବିକ୍ରୟ ପାଇଁ ଉତ୍କଳିକା ର ନିଜସ୍ଵ ୱେବସାଇଟ www.utkalikaodisha.com ଅଛି । ଏକ ରାଜ୍ୟ ସ୍ତରୀୟ ଶୀର୍ଷ ସମିତି ଭାବରେ ନିଗମ, ଆମେରିକା, ଋଷିଆ, ଜର୍ମାନୀ, ଫ୍ରାନ୍ସ, ୟୁକେ ଏବଂ ହଂକଂ ଇତ୍ୟାଦି ଦେଶକୁ ରପ୍ତାନୀ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ହସ୍ତଶିଳ୍ପକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଅଛି । ଏତଦବ୍ୟତୀତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଓଡ଼ିଶା ତଥା ଓଡ଼ିଶା ବାହାରେ ଆୟୋଜିତ ପ୍ରଦର୍ଶନୀ ମାଧ୍ୟମରେ କାରିଗରମାନଙ୍କର ଉତ୍ପାଦିତ ସାମଗ୍ରୀଗୁଡିକର ପ୍ରଦର୍ଶନ ଓ ବିକ୍ରୟ କରାଯାଉଅଛି ।