
ନୂଆଦିଲ୍ଲୀ– କଂଗ୍ରେସ ଆଜି ପୁଣି ଥରେ ସର୍ବଦଳୀୟ ବୈଠକ ଡକାଇବା ଏବଂ ପହଲଗାମ, ଅପରେସନ ସିନ୍ଦୁର ଏବଂ ଯୁଦ୍ଧ ବିରତିର ପ୍ରସଙ୍ଗ ଉପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇବା ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛି । କଂଗ୍ରେସର ବିଶ୍ୱାସ ଯେ, ଏସବୁ ପ୍ରସଙ୍ଗ ଉପରେ ବ୍ୟାପକ ଚର୍ଚ୍ଚା ଜରୁରୀ ଅଟେ ।
ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସହମତି ପରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଦୁଇ ପକ୍ଷରୁ ରୋକାଯାଇଛି । ଏହାପରେ କଂଗ୍ରେସ ସରକାରଙ୍କ ନିକଟରେ ସର୍ବଦଳୀୟ ବୈଠକ ଏବଂ ସ୍ୱତନ୍ତ୍ର ଅଧିବେଶନ ନେଇ ଦାବି କରିଥିଲା । କଂଗ୍ରେସ ଏ କଥା ଆପତି କରିଥିଲା ଯେ, ସୈନ୍ୟ କାର୍ଯ୍ୟାନୁଷ୍ଠାନ ରୋକିବାକୁ ନେଇ ହୋଇଥିବା ସହମତି ଉପରେ ସର୍ବ ପ୍ରଥମେ ଆମେରିକା ରାଷ୍ଟ୍ରପତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଆସିଥିଲା ।
କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି ଯେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋଙ୍କ ଦ୍ୱାରା ତଟସ୍ଥ ମଂଚ ର ଉଲ୍ଲେଖ ଅନେକ ପ୍ରଶ୍ନ ଉଠାଇଛି । କ’ଣ ସିମଲା ବୁଝାମଣାକୁ ଅଣଦେଖା କରାଯାଉଛି କି ।