
ଚଣ୍ଡୀଗଡ଼– ପଞ୍ଜାବ ପୋଲିସ ସହିତ ମିଶି ବିଏସଏଫ ଭାରତ -ପାକିସ୍ତାନ ସୀମା ନିକଟରୁ ଆରଡିଏକ୍ସ, ହ୍ୟାଣ୍ଡ ଗ୍ରେନେଡ୍ ଓ କେତେକ ଅସ୍ତ୍ରଶସ୍ତ୍ର ଜବତ କରିଛି । ବିସ୍ଫୋଟକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିବା ପରେ ବିଏସଏଫ ଏବଂ ପଞ୍ଜାବ ପୋଲିସ ମିଳିତ ଭାବେ ସୀମାବର୍ତୀ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ରବିବାର ସକାଳେ ଗ୍ରାମବାସୀମାନେ ପୋଲିସକୁ ଏ ସମ୍ପର୍କରେ ଖବର ଦେଇଥିଲେ ଯେ, ଚକ ବାଲା ଗ୍ରାମ ନିକଟରେ କିଛି ସନ୍ଦିଗ୍ଧ ବସ୍ତୁ ପଡିଛି । ବିଏସଏଫ ଓ ପଞ୍ଜାବ ପୋଲିସ ଟିମ୍ ସେଠାରେ ପହଂଚି ଥିଲେ ଏବଂ ସମ୍ପୂର୍ଣ୍ଣ ଗ୍ରାମକୁ ଘେରାବନ୍ଦୀ କରିଥିଲେ । ଏହାପରେ କ୍ଷେତରେ ଚାଲିଥିବା ସର୍ଚ୍ଚ ଅପରେସନ ସମୟରେ ଏଠାରୁ ୯୭୨ ଗ୍ରାମ୍ ଆରଡିଏକ୍ସ, ଏକ ରିମୋଟ୍ କଂଟ୍ରୋଲ ଡିଭାଇସ୍ ଏବଂ ଚାର୍ଜର, ୨ଟି ହ୍ୟାଣ୍ଡ ଗ୍ରେନେଡ୍, ୨ଟି ଡେଟୋନେଟର, ୮ଟି ବ୍ୟାଟେରୀ, ଗୋଟିଏ ବ୍ଲାକ ବକ୍ସ, ୩୦ଟି ଜୀବନ୍ତ ଗୁଳି ତଥା ୨ଟି ପିସ୍ତଲ ଏବଂ ୪ଟି ମେଗଜିନ ଜବତ ହୋଇଛି ।