
ସାଲେପୁର : ଆଉ ଦିନକ ପରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ହେବ ଅନାସ୍ଥା ପ୍ରସ୍ତାବ । ଅ୍ଞକ୍ଷ ପଦ ହାତେଇବା ପାଇଁ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ କଟକ ସଦର ବିଧାୟକ ଇଂ. ପ୍ରକାଶ ସେଠୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହି ପଦବୀଟି ଦୁଇ ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସରପଂଚ ଓ ସମିତିସଭ୍ୟମାନଙ୍କୁ ଏକାଠି କରି ପରସ୍ପର ପରସ୍ପର ମଧ୍ୟରେ ରଖିବା ଜଣାପଡିଛି । ପୂର୍ବରୁ ଏହି ଅଧ୍ୟକ୍ଷ ପଦ ବିଜେଡି ସରକାରଙ୍କ ଅଧିନରେ ଥିଲା । ବିଜେଡି ସରକାରଙ୍କ ସମୟରେ ପ୍ରତାପ ଜେନା ବିଧାୟକ ଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଟି ପଂଚାୟତରୁ ସରପଂଚ ଓ ସମିତି ସଭ୍ୟଙ୍କୁ ଏକାଠି କରିବାରେ ମାହୀର ଥିଲା ବେଳେ ସଦର ନିର୍ବାଚନ ମଣ୍ଡଳୀର ୧୪ ଗୋଟି ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କୁ ବିଧାୟକ ଏକାଠି କରିପାରୁନଥିଲେ । ଫଳରେ ବହୁତ ସମୟରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦକୁ ମାହାଙ୍ଗା ବିଧାୟକ ଅକ୍ତିଆରରେ ରଖିଥାଆନ୍ତି । ତେବେ ଚଳିତ ନିର୍ବାଚନରେ ଶାରଦା ପ୍ରଧାନ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଧାୟକ ହୋଇଥିଲେ । ଏବେ ବିଜେପି ସରକାରଙ୍କ ସାଙ୍ଗରେ ଥିଲେ ବି ବିଜେପିର ମାହାଙ୍ଗା ପାଇଁ ପ୍ରତିନିଧିତ୍ୱ କରୁଥିବା ସୁମନ୍ତ ଘଡେଇ ଓ ବିଜେଡି ନେତା ପ୍ରତାପ ଜେନାଙ୍କ ସହିତ ଆନ୍ତରିକତା ନାହିଁ । ଅପରପକ୍ଷରେ କଟକ ସଦରରେ ଇଂଜିନିୟର ପ୍ରକାଶ ସେଠୀ ତାଙ୍କର ପ୍ରତିଦ୍ୱନ୍ଦି ଚନ୍ଦ୍ର ସାରଥି ବେହେରାଙ୍କୁ ହରାଇ ବିଧାୟକ ହୋଇଛନ୍ତି । ଚନ୍ଦ୍ର ସାରଥିଙ୍କର ବହୁ ସରପଂଚ ଓ ସମିତିସଭ୍ୟ ହାତ ମୁଠାରେ ଥିଲେ ବି ବର୍ତ୍ତମାନ ବିଜେପି ପ୍ରାର୍ଥୀ ହିସାବରେ ପ୍ରକାଶ ସେଠୀଙ୍କୁ ତାଙ୍କ ସମର୍ଥୀତ ସରପଂଚ ଓ ସମିତିସଭ୍ୟମାନେ ସମର୍ଥନ ଦେବେକି ନାହିଁ ତାହା ସନ୍ଦେହ ଘେରରେ । ଯଦି ବିଜେପି ସମର୍ଥୀତ ସରପଂଚ ଓ ସମିତିସଭ୍ୟମାନେ ଏକତ୍ରିତ ହୁଅନ୍ତି ତେବେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ପାଇଁ ଅଧ୍ୟକ୍ଷ ପଦ ହାତେଇବା ମହଙ୍ଗା ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଅବଶ୍ୟ ଶାରଦା ପ୍ରଧାନ ବୁଦ୍ଧିବିଦ୍ୟା ପ୍ରୟୋଗ କରି ଉପାଧ୍ୟକ୍ଷ ପଦକୁ ହାତେଇ ନେଇଛନ୍ତି ତେବେ ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ପଦ ମଧ୍ୟରେ ବହୁ ତଫାତ ଥିବାରୁ ଭୋଟରମାନଙ୍କର ମତ କେଉଁଆଡକୁ ଯିବ ତାହା କଳ୍ପନାତୀତ ଥିବା ବେଳେ କଟକ ସାଂସଦ ଓ କେନ୍ଦ୍ରାପଡା ସାଂସଦଙ୍କ ଭୋଟ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଛି । ତେବେ ଆସନ୍ତା ୧୩ ତାରିଖରେ ବର୍ତ୍ତମାନର ଅଧ୍ୟକ୍ଷ ରୋଜି ସେଠୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ଚର୍ଚ୍ଚା ହେଉଛି ।