
ଭୁବନେଶ୍ୱର– ସେନାର ପରାକ୍ରମକୁ ନେଇ ବିଜେପି ଯୁବ ମୋର୍ଚ୍ଚାର ସେଲିବ୍ରେସନ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରେସନ ସିନ୍ଦୂରସଫଳତାକୁ ନେଇ ପରସ୍ପରକୁ ସିନ୍ଦୂର ପିନ୍ଧାଇ ଉତ୍ସଵ ପାଳନ କଲା ବିଜେପି । ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ହେଲା ସେଲିବ୍ରେସନ । ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ମନମୋହନ କହିଛନ୍ତି, ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ଅପେକ୍ଷା କରିଥିଲେ । 140 କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ, ଯେ ଆତଙ୍କବାଦୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯାଉ । ଆଜି ସମସ୍ତ ଭାରତୀୟ ଖୁସି । ସେନା ବାହିନୀର ସାହସିକତା ଓ ପରଙ୍ଗମତା ଦେଖାଇଛନ୍ତି ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ । ଆତଙ୍କବାଦୀଙ୍କ ଆଡାକୁ ଯେଉଁଭଳି ଭାବେ ଧ୍ଵଂସ କରାଯାଇଛି, ଧୀରେ ଧୀରେ ସବୁ ଚିତ୍ର ସାମ୍ନାକୁ ଆସୁଛି । ପାକିସ୍ତାନରେ ଆତଙ୍କବାଦୀଙ୍କୁ ଯେଉଁଭଳି ଭାବେ ସୁରକ୍ଷା ଦିଆଯାଉଛି, ଏହା ସବୁଠାରୁ ନିନ୍ଦନୀୟ ବିଷୟ । ସାରା ବିଶ୍ବ ଆଜି ସେମାନଙ୍କୁ ନିନ୍ଦା କରୁଛି । ସମସ୍ତେ ଆଜି ଭାରତ ସହ ଅଛନ୍ତି । ଆଜି ସବୁ ଭାରତୀୟଙ୍କ ଛାତି କୁଣ୍ଢେ ମୋଟ ହୋଇଛି । ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତ୍ୱକୁ ଯେଉଁମାନେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ, ସେମାନଙ୍କୁ ଉଚିତ ଜବାବ ଦିଆଯାଇଛି ।