
ଭୁବନେଶ୍ୱର – କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୃଷିଭିତ୍ତିକ ଭୌଗଳିକ ତଥ୍ୟକୁ ଅନୁଧ୍ୟାନ କରି ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ ଏଏମଏନଇଏକ୍ସ (AMNEX) ନାମକ ସଂସ୍ଥା ଆଗେଇ ଆସିଛି । ଏହି ସଂସ୍ଥାର ପ୍ରତିନିଧିଙ୍କ ପକ୍ଷରୁ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରଦର୍ଶନ କରାଯାଇଥିଲା ।
କୃଷି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ନିହାତି ଜରୁରୀ । କୃତ୍ରିମ ବୁଦ୍ଧିମତାର ଉପଯୋଗରେ ସଠିକ୍ ତଥ୍ୟ ହାତପାହାନ୍ତାରେ ପାଇବା ସହଜସାଧ୍ୟ ହୋଇପାରିଛି । ଆମ ଦେଶର ମେରୁଦଣ୍ଡ, କୃଷକଙ୍କୁ ସମୟୋପଯୋଗୀ କୃଷି ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ଫସଲ ହାନିରେ ହ୍ରାସ ତଥା ଉତ୍ପାଦନରେ ଅଭିବୃଦ୍ଧି ଆଣିବା ପାଇଁ ଆମେ ସର୍ବଦା ଚେଷ୍ଟିତ । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ଆମେ ଗ୍ରହଣ କରୁଛୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।
କୃଷି କ୍ଷେତ୍ରର ବିକାଶରେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ଏହାର ବ୍ୟବହାର ଫଳରେ ଅଧିକ ସଂଖ୍ୟକ ଚାଷୀଙ୍କୁ ସମୃଦ୍ଧ ଚାଷୀରେ ପରିଣତ କରିବା ଦିଗରେ ଓଡ଼ିଶା ଅଗ୍ରସର ହେଉଛି ବୋଲି ମତପ୍ରକାଶ କରିଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ ।
ଏଏମଏନଇଏକ୍ସ ସଂସ୍ଥା ପୂର୍ବରୁ କୃଷି ବିଭାଗ ଦ୍ଵାରା କରାଯାଉଥିବା ଏଗ୍ରିଷ୍ଟାକ- ଡିଜିଟାଲ କ୍ରପ ସର୍ଭେ, ଫାର୍ମର୍ସ ରେଜିଷ୍ଟ୍ରୀ ଇତ୍ୟାଦି ପାଇଁ ବୈଷୟିକ ସହାୟତା ଯୋଗାଇ ଆସିଛି । ଏତଦବ୍ୟତୀତ, କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଳୟ ସହ ଯୋଡ଼ି ହୋଇ ୩୩ଟି ଫସଲ ନିମନ୍ତେ ବୈଷୟିକ ସହାୟତା ପ୍ରଦାନ କରୁଛି ।
ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ଏଏମଏନଇଏକ୍ସ ପକ୍ଷରୁ ଶ୍ରୀ ପରିଚୟ କୁମାର ଦାସ, ନୀତିଶ ଠକ୍କର, ଜୟେନ୍ଦ୍ର ପୁୱାର, ଆନନ୍ଦ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।