
ଭୁବନେଶ୍ୱର ,ଆଜି ଭାରତୀୟ ବିଲ୍ଡିଙ୍ଗସ୍ କଂଗ୍ରେସ୍ (ଆଇବିସି)ର ଜାତୀୟ ସଭାପତି ଇଂ. ଚିନ୍ମୟ ଦେବନାଥ ଓଡ଼ିଶାର ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରିବା ସହ ଆଇବିସିର କାର୍ଯ୍ୟାବଳୀ ସଂପର୍କରେ ଅବଗତ କରିଥିଲେ ।
ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ସହଯୋଗରେ ଆଇବିସି ଉଚ୍ଚକୋଟୀର ବୈଷୟିକ କର୍ମଶାଳା ଆୟୋଜିତ କରିବା ସହ ନିର୍ମାଣ ପରିବେଶରେ ସଂପୃକ୍ତ ପେସାଦାରଙ୍କର କାର୍ଯ୍ୟଦକ୍ଷତା ଓ ଗୁଣବତ୍ତାରେ ଉନ୍ନତି ଆଣିବାରେ ସହାୟତା କରିଅଛି । ଜାତୀୟ ସ୍ତରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସହାୟତାରେ ଆଇବିସି କାର୍ଯ୍ୟରତ । ଏହି ଅବସରେ ଓଡ଼ିଶା ଚାପଟର ମୁଖ୍ୟ ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଗତ ଏକ ବର୍ଷ ମଧ୍ୟରେ ନିଆଯାଇଥିବା କାର୍ଯ୍ୟକଳାପ ସଂପର୍କରେ ଅବଗତ ସହ ଆଗାମୀ ୮ ଜୁନ୍ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଆଇବିସି ନିର୍ବାହୀ କମିଟି ଏବଂ ଜାତୀୟ ବୈଷୟିକ ସମ୍ମିଳନୀ ସମ୍ପର୍କରେ ସେ ସୂଚନା ଦେଇଥିଲେ ।
ମାନ୍ୟବର ମନ୍ତ୍ରୀ ନିର୍ମାଣ କ୍ଷେତ୍ରରେ ନୂତନ ପଦ୍ଧତି ଓ ଡିଜାଇନ୍ ବିଷୟରେ ଅଧିକ ଗବେଷଣାତ୍ମକ ଆଲୋଚନା କରି ଦେଶକୁ ପ୍ରଗତି ପଥରେ ଆଗେଇନେବା ପାଇଁ ପରାମର୍ଶ ଦେଇଥିଲେ । ବିପର୍ଯ୍ୟୟ ସହନଶୀଳ ନିର୍ମାଣ, ପରିବେଶ ଅନୁକୂଳ କୋଠାବାଡ଼ି, ଶୂନ୍ୟ ଆବର୍ଜନା ଓ ବହୁତଳ ପ୍ରାସାଦ ନିର୍ମାଣ ସ୍ୱଳ୍ପ ସମୟରେ ସାରିବା ପାଇଁ ସେ ମଧ୍ୟ ଉପଦେଶ ଦେଇଥିଲେ ।
ଏହି ଅବସରେ ଓଡ଼ିଶାର ମୁଖ୍ୟ ଯନ୍ତ୍ରୀ ( ବିଲଡିଂ ) ଇଞ୍ଜିନିଅର ପ୍ରିୟବ୍ରତ ସାମନ୍ତରାୟ, ସିସିଇ ଇଂ ମନୋଜ ମହାନନ୍ଦ ଏବଂ ଅନ୍ୟ ଇଞ୍ଜିନିଅର ମାନେ ଉପସ୍ଥିତ ଥିଲେ I