
ଗଂଜାମ– ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପରିସ୍ରାନଳୀ ସଂକ୍ରମଣ ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ, ଗ୍ରୀଷ୍ମ ରୁତୁରେ ଅଳ୍ପ ଜଳପାନ, ଅଧିକ କଟୁ, ମସଲା ଆମିଷ, ଅମ୍ଳ ଯୁକ୍ତ ଖାଇବା, ରାତ୍ର ଅନିଦ୍ରା, ଖରାରେ ପରିଶ୍ରମ କରିବା ଦ୍ୱାରା ପିତ୍ତ, ଅମ୍ଳ ଶରୀରରେ ବଢି ଓ ଅପରିଷ୍କାର ସ୍ଥାନରେ ପରିସ୍ରା କଲେ ଜୀବାଣୁ ସଂକ୍ରମିତ ହୋଇ ପରିସ୍ରା ଯନ୍ତ୍ର ସଂକ୍ରମଣ ହୋଇଯାଏ । ପରିସ୍ରା ହଳଦିଆ, ଗୋଳିଆ, ଦାହ ଓ କଷ୍ଟର ସହ ଅଳ୍ପ ଅଳ୍ପ ହୁଏ । ସାଧାରଣ ଜ୍ୱର ମଧ୍ୟ ରହେ । ଏହି କଷ୍ଟଦାୟକ ରୋଗରୁ ମୁକ୍ତି ପାଇଁ କାରଣ ଗୁଡ଼ିକ ଛାଡି ଅଧିକ ଶୁଦ୍ଧଜଳ ପାନ କରନ୍ତୁ, ଶୀତଳାମରିଚ ସାତଟି ବା ଘୃତ କୁମାରୀ ଦଶ ଗ୍ରାମ ବା ଚନ୍ଦନ ଘୋରା ଏକ ଚାମୁଚ ଦିନରେ ତିନିଥର ସେବନ କଲେ ଭଲ ହୋଇଯାଏ । ଅଧିକ ଖରଭୁଜ, କାକୁଡି, ପିଆଜ ଓ ଅଁଳା ଖାଆନ୍ତୁ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ l