
ପୁରୀ– ପଶ୍ଚିମବଙ୍ଗ ରାଜ୍ୟର ପୂର୍ବମେଦିନାପୁର ଜିଲ୍ଲା ଅନ୍ତର୍ଗତ ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ଏହାକୁ ଜଗନ୍ନାଥ ଧାମ ଘୋଷଣା କରାଯାଇଥିବାରୁ ଏନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହଦେବ । ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ସେ ଜଣାଇଛନ୍ତି ଯେ, ଶାସ୍ତ୍ର ମତ ଓ ପଣ୍ଡିତ ସଭା ଅନୁଯାୟୀ ପୁରୀର ପୁରୁଷୋତମ ଧାମ ବା ଶ୍ରୀଜଗନ୍ନାଥ ଧାମ ଏକମାତ୍ର ରହିଛି । ତେଣୁ ଅନ୍ୟ କେହି ଏହି ଧାମର ନାମକୁ ବ୍ୟବହାର କରିବା ଅନୁଚିତ୍ । ଏହା ସହ କୌଣସି ଧାତୁ ବା ଶିଳାରେ ଶ୍ରୀବିଗ୍ରହଙ୍କ ମୂର୍ତି ନିର୍ମାଣ ଶାସ୍ତ୍ର ବିରୋଧୀ । କେବଳ ନିମ୍ବ ଦାରୁରେ ଶ୍ରୀବିଗ୍ରହ ନିର୍ମାଣ କରାଯିବାର ବିଧି ରହିଛି । ପୁରୀ ଧାମ ହେଉଛି ମୂଳ ପୀଠ ଏବଂ ଏହି ପୀଠର ମହତ୍ୱ ବଜାୟ ରଖିବା ପାଇଁ ସେ ଜଗନ୍ନାଥପ୍ରେମୀଙ୍କୁ ସୂଚନା ଦେଇଛନ୍ତି ।