
ମୁଖୀଗୁଡା– ଚଳିତ ରବି ଚାଷ ପାଇଁ ଗତ ଜାନୁଆରୀ ୭ ତାରିଖ ଇନ୍ଦ୍ରାବତୀ ବାମ ଓ ଡାହାଣ ମୁଖ୍ୟ କେନାଲ ମାଧ୍ୟମରେ ଜଳ ଯୋଗାଣ ହେଉଛି । ବର୍ତ୍ତମାନ କେନାଲ ପାଣି ସମ୍ଭାବ୍ୟ ବନ୍ଦକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଖଇରମାଲ କେନାଲ ଅଧୀନରେ ଥିବା ଚାଷୀବୃନ୍ଦ ଏ ନେଇ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସହ ଜୟପାଟଣା ତହସିଲଦାରଙ୍କୁ ପାଣି ବନ୍ଦ ନକରିବା ପାଇଁ ଏକ ଦାବିପତ୍ର ଦେଇଛନ୍ତି।
ଚାଷୀଙ୍କ ଦାବି ଅନୁଯାୟୀ, ଚଳିତ ରବି ଚାଷ ପାଇଁ ଗତ ଜାନୁଆରୀ ୭ ରେ ଜଳସେଚନ ଆରମ୍ଭ ହୋଇଥିଲା । କିନ୍ତୁ, ପାଣି ଛାଡିବାର ୨୦ ରୁ ୨୫ ଦିନ ବିଳମ୍ବ ଅର୍ଥାତ ଜାନୁଆରୀ ମାସ ଶେଷ ଆଡକୁ ତଳ ମୁଣ୍ଡକୁ ପାଣି ପହଞ୍ଚିଥିଲା । ଚାଷୀ ପାଣି ଛାଡିବାର ୨୦ ରୁ ୨୫ ଦିନ ବିଳମ୍ବରେ ୧୨୦ ରୁ ୧୫୦ ଦିନିଆ ଧାନ ଚାଷ କରିଛନ୍ତି । ବର୍ତ୍ତମାନ ଅନେକ ଚାଷୀଙ୍କ ଧାନ ଏବେ ବାହାରୁଛି ତ ଅନେକ ଚାଷୀଙ୍କ ଧାନ ଗର୍ଭଣା ଅବସ୍ଥାରେ । ଯଦି ଏହି ସମୟରେ ପାଣି ବନ୍ଦ ହୋଇଯିବ ତେବେ ତାଙ୍କର ଧାନ ଫସଲ ନଷ୍ଟ ହେବା ଆଶଙ୍କା ପ୍ରକଟ ହୋଇଛି । ତେଣୁ ଚାଷୀ ମାନେ ଆଗାମୀ ମଇ ୧୫ ତାରିଖ ପର୍ଯ୍ୟନ୍ତ ଜଳ ଯୋଗାଣ ନିୟମିତ କରାଯାଉ ବୋଲି ଦାବି କରିଛନ୍ତି ।
ଏ ସମ୍ପର୍କରେ ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜଳସେଚନ ବିଭାଗକୁ ଅବଗତ କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।