
ଭୁବନେଶ୍ୱର, ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ମୂଳ ବାସିନ୍ଦା ଭାବେ କେଉଁ ପୁରାତନ କାଳରୁ ଭୂୟାଁ ସମ୍ପ୍ରଦାୟର ଜନଜାତିମାନେ ବାସ କରି ଆସୁଛନ୍ତି । ଭୂୟାଁ ଶବ୍ଦଟିର ମୂଳ ଅକ୍ଷର ଭୂ ଅର୍ଥାତ୍ ଭୂମି । ତେଣୁ ସେମାନେ ନିଜକୁ ଭୂମିପୁତ୍ର ଭାବେ ଦାବି କରିଥାଆନ୍ତି । ଭୂୟାଁ ସମ୍ପ୍ରଦାୟର ଲୋକମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବର । କିନ୍ତୁ ଯେତେବେଳେ ମାଟି ମା’ ଉପରେ ଶୋଷଣ ଓ କଷଣର ଭାର ବଢ଼ିଯାଏ ସେମାନଙ୍କ ମଧ୍ୟରେ ବିପ୍ଳବାତ୍ମକ ମନୋଭାବ ଜାଗି ଉଠେ । କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଜନଜାତି ଅତୀତରେ ବହୁବାର ଅତ୍ୟାଚାରୀ ରାଜା ଓ ଇଂରେଜ ଶାସକଙ୍କ ବିରୁଦ୍ଧରେ ବିପ୍ଳବାତ୍ମକ ପନ୍ଥା ଗ୍ରହଣ କରିଛନ୍ତି, ଯାହାକି କଥିତ ଭାଷାରେ ‘ମେଳି’ ଭାବେ ଆଦୃତ । ସେ ସମସ୍ତ ମେଳି ମଧ୍ୟରୁ ୧୮୬୮ ମସିହାରେ ସଂଘଟିତ ହୋଇଥିବା ‘ରନିାମେଳି’ ଏବଂ ୧୮୯୧ ମସିହାରେ ହୋଇଥିବା ‘ଧରଣୀମେଳି’ ଓଡ଼ିଶା ଇତିହାସରେ ଲିପିବଦ୍ଧ । ଧରଣୀଧରଙ୍କ ନେତୃତ୍ୱରେ ରାଜତନ୍ତ୍ର ବିରୁଦ୍ଧରେ ହୋଇଥିବା ଏହି ବିପ୍ଳବ ଓଡ଼ିଶା ଇତିହାସରେ ଏକ ରୋମାଞ୍ଚକର ଅଧ୍ୟାୟ ।
୧୮୬୪ ମସିହା ମଇ ୫ ତାରିଖ ଦିନ କେନ୍ଦୁଝର ଗଡ଼ଜାତର ଏକ ଅଖ୍ୟାତପଲ୍ଲୀ କୁସୁମିତାର ଏକ ଭୂୟାଁ ପରିବାରରେ ଧରଣୀଧର ଜନ୍ମଗ୍ରହଣ କରିଥିଲେ । ବିପ୍ଳବୀ ଧରଣୀଧର ଅନ୍ୟାୟ ରାଜ ଶାସନ ଓ ଇଂରେଜ ଶାସକଙ୍କ ବିରୁଦ୍ଧରେ ଲଢ଼ି ପରାଭୂତ ହୋଇଥିଲେ ମାତ୍ର ତାଙ୍କର ଦୁଃସାହସିକ ସଂଗ୍ରାମ ଅତ୍ୟାଚାରୀମାନଙ୍କ ବିରୁଦ୍ଧରେ ଅବିରତ ଜାରି ରହିଥିଲା । ସେ ଥିଲେ ଜନମାନସର ନେତା । ବିର୍ସାମୁଣ୍ଡା, ରନିାନାୟକ, ଚକ୍ରା ବିଶୋଇ ପ୍ରମୁଖ ଆଦିବାସୀ ମୁକ୍ତିଯୋଦ୍ଧାଙ୍କର ସେ ଥିଲେ ଜଣେ ସମକକ୍ଷ ବିପ୍ଳବୀ । ଧରଣୀଧର ଏକ ଚିର ଅମର ଯୁଗପୁରୁଷ ଭାବରେ ଆମର ନିତ୍ୟ ସ୍ମରଣୀୟ । ଏହି ମହାନ୍ ବିପ୍ଳବୀଙ୍କର ମହତ୍ ଆଦର୍ଶ ଯୁଗେ ଯୁଗେ ଏ ଜାତିକୁ ପ୍ରେରଣା ଯୋଗାଉଥିବ, ଏହା ନିଃସନ୍ଦେହ ।
ଆଜି ଓଡ଼ିଶା ବିଧାନସଭାଠାରେ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।