
ବ୍ରହ୍ମପୁର:ସ୍ପେଶାଲ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ୧୮ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୭ଟି ମାଉଜରକୁ ମଧ୍ୟ ଜବତ କରିଛି ପୋଲିସ । ଏନେଇ ଆଜି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢୁଥିବା ଯୋଗୁଁ ଗତ ୮ ଦିନ ପୂର୍ବରୁ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ସ୍ପେଶାଲ ଡ୍ରାଇଭ । ଏହି ଡ୍ରାଇଭ ଜିଲ୍ଲାର ଆସିକା, ଶେରଗଡ଼, ଚମାଖଣ୍ଡି, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା ଅଞ୍ଚଳରେ ଆରମ୍ଭ ହୋଇଥିଲା ।
ଆସିକା, ପୁରୁଷୋତ୍ତମପୁର ଓ ଭଞ୍ଜନଗର ଏସଡିପିଓଙ୍କ ତତ୍ବାବଧାନରେ ଗଠିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ କରିବା ପରେ ଅନେକ ଅପରାଧି ମାନେ ଫେରାର ହୋଇଯାଇଥିବା ବେଳେ ଆଉ କିଛି କୁଖ୍ୟାତ ଅପରାଧିଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ମୋଟ ୬ଟି ଥାନା ଅଞ୍ଚଳରୁ ୧୮ ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୧୬ଟି ମୋବାଇଲ ଓ ୪ଟି ଖୋକା ଜବତ କରାଯାଇଛି । ତେବେ ଏହି ମାଉଜର ଗୁଡିକୁ କେଉଁଠାରୁ ଆଣି ଅପରାଧି ମାନେ ଅପରାଧ ଘଟାଇବାରେ ବ୍ୟବହାର କରୁଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହାସହ କିଏ କିଏ ଏହି ମାଉଜର ଗଞ୍ଜାମ ଜିଲ୍ଲାକୁ ଆଣୁଥିଲା ସେ ନେଇ ପୋଲିସ କିଛି ସନ୍ଧାନ ପାଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଛି । ଗଞ୍ଜାମ ଜିଲ୍ଲାକୁ କେଉଁଠାରୁ ଓ କିଏ ମାଉଜର ଆଣୁଥିଲା ସେ ନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇଜି ନୀତି ଶେଖର । ସାମ୍ବାଦିକ ସମ୍ମିଳନୀରେ ଆଇଜିଙ୍କ ସମେତ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ସମେତ ବିଭିନ୍ନ ଥାନାର ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ ।