
ସମ୍ବଲପୁର– ଓଡ଼ିଶା କୋଲିଆରିଜ୍ ମଜଦୁର୍ ସଂଘ (ଓସିଏମ୍ଏସ୍) ଏମ୍ସିଏଲ୍ର ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ଏରିଆରେ ବିଶିଷ୍ଟ ଟ୍ରେଡ଼ ୟୁନିୟନ୍ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାମରେ ଏକ ନୂତନ କାର୍ଯ୍ୟାଳୟ ଭବନ ଉଦ୍ଘାଟିତ ହୋଇଛି । ଦେଶର ଅନ୍ୟତମ ସର୍ବବୃହତ୍ ଶ୍ରମିକ ସଂଗଠନ ଭାବରେ ପରିଚିତ ଓସିଏମ୍ଏସ୍ ପକ୍ଷରୁ ଏହାର ପୂର୍ବତନ ସଭାପତି ଶ୍ରୀବଲ୍ଲଭ ବାବୁଙ୍କ ପ୍ରତି ଆନ୍ତର୍ଜାତିକ ଶ୍ରମିକ ଦିବସରେ ଏହା ଏକ ଶ୍ରଦ୍ଧାଞ୍ଜଳି ବୋଲି ସାଧାରଣ ସମ୍ପାଦକ ସୌଭାଗ୍ୟଚନ୍ଦ୍ର ପ୍ରଧାନ କହିଛନ୍ତି । ଶ୍ରମିକମାନଙ୍କ ଉନ୍ନତି, ନ୍ୟାୟ ଏବଂ ୧୯୯୨ରେ ଏମ୍ସିଏଲ୍ ଗଠନରେ ଶ୍ରୀବଲ୍ଳଭ ବାବୁଙ୍କ ଭୂମିକା ସ୍ମରଣୀୟ ହୋଇ ରହିବ । ଶ୍ରମ ନୀତି ଏବଂ କୋଇଲା ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ପାଣିଗ୍ରାହୀ ସମ୍ବଲପୁରରୁ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇ ସେ ସମୟର ଦେଶର ସର୍ବକନିଷ୍ଠ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ଏବଂ ଦେବଗଡ଼ ଆସନରୁ ଲୋକସଭାକୁ ତିନି ଥର ନିର୍ବାଚିତ ହୋଇଥିଲେ । ସେ ଅନେକ ଶ୍ରମିକ କର୍ମଚାରୀ ସଂଗଠନ ସହିତ ସଂପୃକ୍ତ ଥିଲେ ଏବଂ ଆଇଏନ୍ଟିୟୁସିର ଜାତୀୟ ଉପସଭାପତି ଦାୟିତ୍ୱ ନିର୍ବାହ ମଧ୍ୟ କରିଥିଲେ ।