
ନୂଆଦିଲ୍ଲୀ– ଦିଲ୍ଲୀର ଦ୍ୱାରକା ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଯୋଗୁ ଗଛ ପଡିବା କାରଣରୁ ଗୋଟିଏ ଘର ଭୁଶୁଡିପଡିଛି । ଫଳରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 26 ବର୍ଷୀୟ ମହିଳା ଓ ତାଙ୍କର ତିନି ପିଲା ଅଛନ୍ତି । ସୂଚନା ମିଳିବା ମାତ୍ରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଭଗ୍ନାବଶେଷ ତଳୁ ମୃତଦେହ ବାହାର କରିଥିଲେ । ଦ୍ୱାରକା ଜିଲ୍ଲାର ଜାଫରପୁର କଲାଂ ସ୍ଥିତ ଖଡବଡି ନହର ଗାଁରେ ଏହି ଅଘଟଣ ଘଟିଛି ।
ଦିଲ୍ଲୀପୋଲିସ ମୁତାବକ ପ୍ରବଳ ବେଗରେ ପବନ ବହିବା କାରଣୁ ଏକ ନିମ୍ବ ଗଛ କ୍ଷେତରେ ଥିବା ଏକ ଘର ଉପରେ ପଡିଥିଲା । ଏହି କାରଣରୁ ଘରଟି ଭୁଶୁଡି ପଡିଥିଲା । ଏହି ସମୟରେ ଘରେ ଶୋଇଥିବା ପୂରା ପରିବାର ଭଗ୍ନାବଶେଷ ତଳେ ଦବିଯାଇଥିଲେ । ଅଘଟଣରେ ପରିବାରର 4ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ମହିଳା ଓ ତାଙ୍କର ତିନୋଟି ପିଲା ସାମିଲ ଅଛନ୍ତି ।