
ମାଲକାନଗିରି– ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପଣସର ସ୍ୱତନ୍ତ୍ର ପରିଚୟ ରହିଛି । କଠା ପଣସ ଓ ପାଚିଲା ପଣସ ଆଦିବାସୀଙ୍କ ଅନ୍ୟତମ ପ୍ରମୁଖ ଖାଦ୍ୟ ଭାବେ ପରିଗଣିତ । ପଣସ କଠାରେ ପ୍ରସ୍ତୁତ ବ୍ୟଞ୍ଜନ ଆମିଷ ଠାରୁ ମଧ୍ୟ ସୁଆଦିଆ ହୋଇଥିବା ବେଳେ କାଳକ୍ରମେ ସମସ୍ତଙ୍କ ଖାଦ୍ୟ ମେନ୍ୟୁରେ ସାମିଲ ହୋଇପାରିଛି । ବର୍ତମାନ ମାଲକାନଗିରି ଜିଲ୍ଲାର ବିଭିନ୍ନ ବଜାରରେ ପଣସ କଠାର ପସରା ମେଲିଛି । ବଜାରରେ ଏହାର ଚାହିଦା ମଧ୍ୟ ଢେର ଅଧିକ ରହିଛି । ହେଲେ ଆଉ କିଛି ଦିନ ପରେ ପଣସ ପାକଳ ହୋଇଗଲେ ବା ପାଚିଗଲେ ପାହାଡ଼ି ଇଲାକାରେ ଗଛ ଉପରେ ଏବଂ ଗଛ ତଳେ ପଡ଼ି ନଷ୍ଟ ହେବ । ପ୍ରତି ବର୍ଷ ଏହିପରି କଠା ବା କସି ସମୟରେ ପଣସରୁ ଦୁଇ ପଇସା ରୋଜଗାର ହେଉଥିବା ବେଳେ ଏହା ମାସେ ଦୁଇ ମାସରେ ସୀମିତ ରହୁଛି । ଗଛରେ ପ୍ରଚୁର ପଣସ ଫଳୁଥିଲେ ମଧ୍ୟ ମାତ୍ର ୨୦ ପ୍ରତିଶତ ପଣସରୁ ଲାଭ ମିଳୁଛି, ବାକି ୮୦ ପ୍ରତିଶତ ନଷ୍ଟ ହୋଇ ଯାଉଛି ବୋଲି ପ୍ରକାଶ କରିଛନ୍ତି ପଣସ ଚାଷୀ । ତେବେ ମିଲେଟ ମିଶନ ଦ୍ୱାରା ଯେପରି ମାଣ୍ଡିଆକୁ ପରିଚୟ ମିଳିପାରିଛି କଠା ପଣସ ଏବଂ ପାଚିଲା ପଣସର ସଂରକ୍ଷଣ, ପ୍ରକ୍ରିୟାକରଣ ଓ ଉପଯୁକ୍ତ ବଜାରୀକରଣ ନିମନ୍ତେ ପଣସ ମିଶନ ଗଠନ ହୋଇପାରିଲେ ପଣସରୁ ରୋଜଗାର ହୋଇପାରନ୍ତା ବୋଲି କହିଛନ୍ତି ଜିଲ୍ଲାର ପଣସ ଚାଷୀ ।
ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଓ କାଲିମେଳା ବ୍ଲକର କିଛି ଗ୍ରାମରେ ମୁଖ୍ୟତଃ ପ୍ରଚୁର ପରିମାଣରେ ପଣସ ଉତ୍ପାଦିତ ହୋଇଥାଏ । ଡିସେମ୍ବର ମାସରେ ପଣସ ଗଛରେ ଫଳ ଧରିଥାଏ । ଜାନୁଆରୀ ମାସରୁ କିଛି ପରିମାଣରେ ପଣସ କଠା ଖାଇବା ଉପଯୋଗୀ ହୋଇଥାଏ ଏବଂ ଏପ୍ରିଲ ମାସ ପର୍ଯ୍ୟନ୍ତ ଖାଇହୁଏ । ଏହାପରେ ପଣସ ପାକଳ ହୋଇଯାଏ ଏବଂ ମଇ, ଜୁନ ବେଳକୁ ପାଚି ଯାଏ । ବର୍ତମାନ ପଣସ କଠା ଖାଇବାର ଉପଯୁକ୍ତ ସମୟ । ତେଣୁ ପ୍ରତିଦିନ ବିଭିନ୍ନ ଅଂଚଳରୁ ଆସି ବଜାରରେ ପସରା ମେଲୁଛନ୍ତି ଚାଷୀ । ଆକାର ଅନୁସାରେ ଗୋଟା ପ୍ରତି ୨୦ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ବେପାରୀ ମାନେ ସେମାନଙ୍କ ଠାରୁ ଅଳ୍ପ ଦାମ୍ ରେ କିଣି ନେଇ ଚଢା ଦରରେ ବିକ୍ରି କରୁଥିବାରୁ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିପାରୁ ନାହିଁ । ସେହିପରି ବାହାର ବେପାରୀମାନେ ଗାଁରେ ପହଂଚି ଶାଗ, ମାଛ ଦରରେ ପଣସ କିଣି ନେଉଛନ୍ତି । ଅନ୍ୟ ଉପାୟ ନପାଇ ପଣସଚାଷୀମାନେ ସେମାନଙ୍କ ହାତରେ ପଣସ ଟେକି ଦେଉଥିବା ଦେଖିବାକୁ ମିଳୁଛି । ପଣସ କଠାରୁ ତରକାରୀ, ଭର୍ତା, ଚିପ୍ସ, ଛଣା ଆଦି ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । କଠା ପଣସ ତରକାରୀ ମାଛ, ମାଂସ ଠାରୁ ମଧ୍ୟ ସ୍ୱାଦିଷ୍ଟ ହୋଇଥାଏ । ପଣସ କଠା ଶାକାହାରୀ ମାନଙ୍କ ପ୍ରଥମ ପସନ୍ଦ ହୋଇଥାଏ । ତେଣୁ କସି ଥିବା ପର୍ଯ୍ୟନ୍ତ ପଣସ କଠାର ବେଶୀ ଆଦର ଥାଏ । ଧିରେ ଧିରେ ପାକଳ ଏବଂ ପାଚିବା ଆରମ୍ଭ କଲେ ଏହା ପ୍ରତି ଆଦର ଦେଖିବାକୁ ମିଳେ ନାହିଁ ।
ପାଚିଲା ପଣସରୁ ମଞ୍ଜି ବାହାର କରି ଅନ୍ୟ ଅଂଶକୁ ଲୋକେ ଫିଙ୍ଗି ଦେଇଥାଆନ୍ତି । ଏହି ମଞ୍ଜିକୁ ତରକାରୀ ପ୍ରସ୍ତୁତ କରି ଖାଇ ଥାଆନ୍ତି । ତେବେ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ବ୍ୟବସ୍ଥା ନଥିବାରୁ ଗଛରେ ଫଳୁଥିବା ସବୁ ପଣସର ଉପଯୁକ୍ତ ମୂଲ୍ୟ ମିଳିପାରୁ ନାହିଁ ବୋଲି କହିବା ସହିତ ସଂରକ୍ଷଣ, ପ୍ରକ୍ରିୟାକରଣ ସହିତ ଉପଯୁକ୍ତ ବଜାରୀକରଣ ହୋଇ ପାରିଲେ ପଣସର ଦୀର୍ଘକାଳୀନ ଚାହିଦା ବଢି ପାରନ୍ତା ବୋଲି ପଣସ ଚାଷୀମାନେ ମତ ପ୍ରକାଶ କରିଛନ୍ତି । ସ୍ୱଳ୍ପ ଅବଧି ମଧ୍ୟରେ ପଣସ କଠା ଖାଇବା ଅନୁପଯୋଗୀ ହୋଇଯାଉଥିବା ବେଳେ କଂଚା ପଣସକୁ ଛୋଟ ଛୋଟ ଆକାରରେ କାଟି ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇ ପାରିଲେ ବର୍ଷ ତମାମ୍ କଠା ପଣସ ଉପଲବ୍ଧ ହୋଇ ପାରନ୍ତା ଏବଂ ଚାହିଦା ମଧ୍ୟ ବଢି ଯାଆନ୍ତା ବୋଲି ଚାଷୀମାନେ କହିଛନ୍ତି । କଂଚା ପଣସରୁ ପ୍ରକ୍ରିୟାକରଣ ଜରିଆରେ ଆଚାର, ବିଭିନ୍ନ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ । ସେହିପରି ପାଚିଯିବା ପରେ ଗଛରେ ଏବଂ ଗଛ ମୂଳେ ପଡ଼ି ନଷ୍ଟ ହୋଇଯାଉଥିବା ପଣସରୁ ମଧ୍ୟ ରୋଜଗାର କରି ହୁଅନ୍ତା ବୋଲି ମତ ପ୍ରକାଶ କରିଛନ୍ତି ପଣସ ଚାଷୀମାନେ ।