
ମାଲକାନଗିରି– ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ, ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନର ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ପଞ୍ଚାୟତ ଠାରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ, ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନର ଶତାଧିକ ସଦସ୍ୟା /ସଦସ୍ୟ ମାନେ ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ। ସେଠାରେ ସରପଞ୍ଚ ଭଗବତୀ ନାୟକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ସଂଗଠନ ତରଫରୁ ଏକ ଶୋଭାଯାତ୍ରାରେ ମଦନ ହନ୍ତାଳ, ଅଭିମନ୍ୟୁ ଶୁକ୍ରି, ଅର୍ଜୁନ ହନ୍ତାଳ, ତ୍ରିନାଥ ପୂଜାରୀ, ଭାଗବତୀ ପାଙ୍ଗି, ବିମଳା ହନ୍ତାଳ ପ୍ରମୁଖଙ୍କ ନେତୃତ୍ୱ ସଦସ୍ୟ ମାନେ ଯାଇ ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତା କୁମାରଙ୍କୁ ମଧ୍ୟ ୧୦ ଦଫା ସମ୍ବଳିତ ଦାବୀ ପ୍ରଦାନ କରିଥିଲେ। ଦାବି ଗୁଡିକ ମଧ୍ୟରେ ମାଲକାନଗିରି ଜିଲ୍ଲାକୁ ଦାଦନ ପ୍ରବଣ ଜିଲ୍ଲା ରୂପେ ଘୋଷଣା କରାଯାଉ l
ଯେଉଁ ମାନେ ଦାଦନ ଯାଉଛନ୍ତି ସେମାନଙ୍କୁ ପଂଚାୟତ ଚିହ୍ନିତ କରି ସେ କେଉଁ ରାଜ୍ୟକୁ ଯାଉଛନ୍ତି ଏବଂ କେଉଁ ଶ୍ରମିକ ଠିକାଦାର ନେଉଛନ୍ତି ତାହାର ସମ୍ପୂର୍ଣ ଠିକଣା ରଖାଯାଉ l ଦାଦନ/ଦେଶାନ୍ତର ସମସ୍ୟା ଦୂରୀଭୂତ ପାଇଁ ମନରେଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉ ଓ ପ୍ରତି ଶ୍ରମିକଙ୍କୁ ୨୦୦ ଦିନ କାମ ଯୋଗାଯାଉ l ମନରେଗାରେ ଦୈନିକ ମଜୁରୀ ୬୦୦ ଟଙ୍କା କରାଯାଉ l ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକ, ଅର୍ଦ୍ଧ କୁଶଳୀ ଶ୍ରମିକ ଓ କୁଶଳୀ ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ଯଥାକ୍ରମେ ୬୦୦, ୭୫୦, ୧୦୦୦ ଟଙ୍କା କରାଯାଉ l
ଜିଲ୍ଲାରେ ସମସ୍ତ ନିର୍ମାଣ କୁଶଳୀ ଶ୍ରମିକ ମାନଙ୍କୁ ଚିହ୍ନିତ କରି ସେମାନଙ୍କ ଦକ୍ଷତା ଵୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯାଉ।
ଜିଲ୍ଲାରେ ସମସ୍ତ ପଂଚାୟତରେ ନିର୍ମାଣ ଶ୍ରମ ଆଇନରେ ଥିବା ସମସ୍ତ ସୁବିଧା ସୁଯୋଗ କିପରି ଶ୍ରମିକ ମାନେ ପାଇପାରିବେ ସେଥିପାଇଁ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉ l ଜିଲ୍ଲାରେ କାମ କରୁଥିବା ନିର୍ମାଣ ଶ୍ରମିକ ସଂଗଠନ /ୟୁନିଅନ ମାନଙ୍କୁ କାର୍ଯ୍ୟାଳୟ ପାଇଁ ଲିଜ ଆକାରରେ ଜାଗା ଵା ଗୃହ ଯୋଗାଇ ଦିଆଯାଉ l ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ତୁରନ୍ତ ପୂରଣ କରାଯାଉ ଆଦି ଦାବୀ ରହିଛି l
ପରେ ସମସ୍ତେ ପଞ୍ଚାୟତ ସଭାଗୃହ ଠାରେ ଗ୍ରାମସଭା ଅନୁଷ୍ଠିତ କରି ନିର୍ମାଣ ଶ୍ରମିକ କାର୍ଡ, ମନରେଗା ଆଦି ଆଇନ ଉପରେ ସଚେତନତା କରାଇଥିଲେ l