
ଭୁବନେଶ୍ୱର ,ଓଡ଼ିଶା ଭିନ୍ନକ୍ଷମ ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଦିବ୍ୟାଙ୍ଗମାନଙ୍କ ସାଧାରଣ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସଂଗଠନ ଏବଂ ଅଂଶୀଦାରମାନଙ୍କୁ ନେଇ ସମୟ ସମୟରେ ଏକ ଖୋଲା ଆଲୋଚନା କରିବା ନିମନ୍ତେ ଏକ ନୂତନ ପଦକ୍ଷେପ ନେଇଛନ୍ତି । ଏହି ଆଲୋଚନାରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଏବଂ ସେମାନଙ୍କର ଅନ୍ତର୍ଭୁକ୍ତିକରଣ ସାମିଲ ରହିଛି । ଏହି କ୍ରମରେ ଆଜି ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ‘ସକ୍ଷମା: ଏକ ଦକ୍ଷତା ଆଲୋଚନା’ ଶୀର୍ଷକ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ ବୈଠକର ଉଦଘାଟନ କରି ଏପରି ଏକ ବୈଠକ ଆୟୋଜନ ପାଇଁ ଭିନ୍ନକ୍ଷମ ଆୟୁକ୍ତଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହା ଦିବ୍ୟାଙ୍ଗମାନଙ୍କ ବିକାଶର ରାସ୍ତାରେ ବାଧା ସୃଷ୍ଟି କରୁଥିବା ତ୍ରୁଟିକୁ ଜାଣିବାରେ ସହାୟକ ହେବ ଏବଂ ଏହାର ସମାଧାନ ପାଇଁ ପଥ ଉନ୍ମୁକ୍ତ କରିବ ବୋଲି ସେ କହିଥିଲେ ।
ଏହି ଆଲୋଚନାରେ ଭାଗନେଇ ସ୍ୱାଭିମାନ, ଭୁବନେଶ୍ୱରର ସିଇଓ ଡକଫର ଶ୍ରୁତି ମହାପାତ୍ର ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ଅକ୍ଷମତା ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଟି. ଶାମ୍ସ ଦିବ୍ୟାଙ୍ଗମାନଙ୍କ ବିକାଶ ପାଇଁ ସାମ୍ପ୍ରତିକ ଆଇନଗତ ବ୍ୟବସ୍ଥା ଉପରେ ଉପସ୍ଥାପନା ରଖିଥିଲେ । ପୁନର୍ବାସ, କେନ୍ଦ୍ରାପଡ଼ାର ଡକଫର ବି. ରାଉତରାୟ ଗଣମାଧ୍ୟମ ଏବଂ ଦିବ୍ୟାଙ୍ଗମାନଙ୍କ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ବିଭିନ୍ନ ବର୍ଗର ଦିବ୍ୟାଙ୍ଗ, ଦିବ୍ୟାଙ୍ଗମାନଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସେ୍ୱଚ୍ଛାସେବୀ ସଂଗଠନର ପ୍ରତିନିଧି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗବେଷକ, ପ୍ରଶାସନିକ ଅଧିକାରୀ, ଆଇନ ପରାମର୍ଶଦାତାମାନେ ବୈଠକରେ ଯୋଗଦେବା ସହ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଭିନ୍ନକ୍ଷମ ଆୟୁକ୍ତ ଏପରି ବୈଠକ ଆୟୋଜନର ଉଦ୍ଦେଶ୍ୟ ଏବଂ ଅନ୍ତର୍ଭୁକ୍ତିକରଣ ଆଣିବାରେ ଏହାର ସମ୍ଭାବ୍ୟ ଫଳାଫଳ ନେଇ ଅତିଥିମାନଙ୍କୁ ଅବଗତ କରାଇଥିଲେ । ଭିନ୍ନକ୍ଷମ ଆୟୁକ୍ତଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ପି. ସି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।