
-
ବଳାତ୍କାର ପରେ ହତ୍ୟା ସନ୍ଦେହ
-
ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍କୁଆର୍ଡ ର ତଦନ୍ତ
-
ସ୍ଥିତି ଅନୁଧ୍ୟାନ କଲେ ବିଧାୟକ
ବ୍ରହ୍ମପୁର,ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ରେ ଘଟିଛି ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା।ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା ଜଣେ ୪ ବର୍ଷର ଶିଶୁକନ୍ୟା ଙ୍କ କ୍ଷତାକ୍ତ ମୃତଦେହ କୁ ଶନିବାର ସକାଳେ ପାଟପୁର ପୋଲିସ ଜବତ କରି ଛାନଭିନ ଚଳାଇଛି। ତାଙ୍କୁ ବଳାତ୍କାର ପରେ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ଗ୍ରାମବାସୀ ପୋଲିସ କୁ କହିଛନ୍ତି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମର ଅଶୋକ ସ୍ବାଇଁ ଙ୍କ ଶିଶୁକନ୍ୟା। ଅଶୋକ ଖଲିଙ୍ଗି ଗ୍ରାମ ଚନ୍ଦନନଗର ର ରାଧା ନାହାକ ଙ୍କ ଝିଅ କୁ ବିବାହ କରିଛନ୍ତି। ଗତ ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା ସହ ଅଜା ଘର ଗାଁ କୁ ଆସିଥିଲେ।ଶୁକ୍ରବାର ଥିଲା ଯାତ୍ରା ର ଉଦଯାପନ ଦିବସ।ଖୁସି ମନରେ ଯାତ୍ରା କମିଟି କର୍ମକର୍ତ୍ତା ସଦସ୍ୟ ବୃନ୍ଦ ଗ୍ରାମବାସୀ ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ବେଳେ ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ଘର ନିକଟରେ ସାଙ୍ଗସାଥୀ ଙ୍କ ସହ ଖେଳୁଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।
ଏନେଇ ଯାତ୍ରା କମିଟି ପକ୍ଷରୁ ମାଇକ ଯୋଗେ ସୂଚନା ଦିଆଯାଇଥିଲା।ପରେ ପାଟପୁର ଥାନାକୁ ନିଖୋଜ ସମ୍ପର୍କରେ ଖବର ଦିଆଯିବା ପରେ ପାଟପୁର ପୋଲିସ ଟିମ୍ ଗାଁ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଥିଲେ। ପରିବାର ଲୋକେ ରାତି ସାରା ଉଜାଗର ରହି ଗ୍ରାମବାସୀ ଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ଗ୍ରାମର କିଛି ବ୍ୟକ୍ତି ଶନିବାର ସକାଳେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟ ନିର୍ମାଣାଧୀନ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ଶିଶୁକନ୍ୟା ଙ୍କ ମୃତଦେହ ଦେଖିଥିଲେ। ଏନେଇ ପାଟପୁର ଥାନା କୁ ଖବର ଦିଆଯାଇଥିଲା।ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଆସିକା ଏସଡିପିଓ ସନ୍ତୋଷ କୁନାର ଜେନା ଛତ୍ରପୁର ରୁ ଆସିଥିବା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ଡ଼ଗସ୍କୁଆର୍ଡ଼ ଦ୍ଵାରା ତଦନ୍ତ ପରେ ଶିଶୁକନ୍ୟା ଙ୍କ ଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଅମାନବୀୟ ଛାତିଥରା ଲୋମହର୍ଶକ ବର୍ବୋରଚିତ ହତ୍ୟା ଘଟଣାର ପର୍ଦ୍ଦାଫାଶ କରି ଦୋଷୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ପୋଲିସ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିଛନ୍ତି।ଖବରପାଇ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଏବଂ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି।