
ମାଲକାନଗିରି– ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ପାଇଁ ଏକ ବଡ଼ ସଫଳତା। ଶୁକ୍ରବାର ଦିନ ମାଲକାନଗିରି ଜିଲ୍ଲାକୁ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବେଳେ ୪୭୩ ଟି ଜୀବନ୍ତ କଇଁଛକୁ ମୋଟୁ ବନ ବିଭାଗ ଜବତ କରିଛି। ତେବେ ଚୋରା ଚାଲାଣକାରୀମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ।
ଏକ ନିର୍ଭରଯୋଗ୍ୟ ଉତ୍ସରୁ କିଛି ସୂଚନା ପାଇବା ପରେ, ମୋଟୁ ରେଞ୍ଜର ରଶ୍ମୀ ରଞ୍ଜନ ସ୍ୱାଇଁ , ମୋଟୁ ଫରେଷ୍ଟର ମୁରଲୀଧର ଅନୁଗୁଳିଆ ଏବଂ ବନ ବିଭାଗର କର୍ମଚାରୀମାନେ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସେହି ଅନୁଯାୟୀ, ସେମାନେ ଆଜି ଭୋର ୩ଟାରେ ମୋଟୁ ଚେକ୍ ପଏଣ୍ଟରେ ଅପେକ୍ଷା କରିଥିଲେ । ଏହି ସମୟରେ ଏକ ବୋଲେରୋ ଗାଡି ନମ୍ବର ଓଆର ୧୦ଇ ୫୮୭୭ ଆସୁଥିଲା। ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ଗାଡ଼ିର ଡ୍ରାଇଭର ଓ ଅନ୍ୟ ଜଣେ ଗାଡି ଛାଡି ଧାଇଁ ପଳାଇଥିଲେ । ଚୋରା ଚାଲାଣକାରୀମାନେ ଗାଡି ଛାଡି ଯିବା ପରେ ବନ ବିଭାଗର କର୍ମଚାରୀମାନେ ଯାଇ ଗାଡିଟିକୁ ଧରି ଯାଞ୍ଚ କରିବାରୁ ସେଥିରେ ଆନ୍ଧ୍ରପ୍ରଦେଶରୁ ଓଡିଶାକୁ ୧୩ଟି ଅଖା ଭିତରେ ୪୭୩ ଟି କଇଁଛ ବେଆଇନ ଭାବେ ପରିବହନ କରାଯାଉଥିବା ଦେଖିବାକୁ ପାଇଥିଲେ । ସମସ୍ତ କଇଁଛ ଏବଂ ବୋଲେରୋ ଗାଡି ଜବତ କରାଯାଇ ଏମଭି ୭୯ ବନ କାର୍ଯ୍ୟାଳୟରେ ରଖାଯାଇଛି । ଅଧିକ ତଦନ୍ତ ଚାଲିଛି ।