
ଖୋର୍ଦ୍ଧା-୧୦ ବର୍ଷ ପରେ ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ଏହି ହତ୍ୟା ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍ (୧ମ) ମଞ୍ଜୁଲତା ଲେଙ୍କା ୩୦୨ ଦଫାରେ ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ବାଣପୁର ଅଞ୍ଚଳର ଆଶିଷ ବିଶ୍ବାଳ, ମାନସ ପାତ୍ର, ସନାତନ ବିଶ୍ୱାଳ ଓ ଆଲୋକ ବିଶ୍ୱାଳ । ଏପରିକି ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ଶ୍ରୀନିବାସ ବିଶ୍ୱାଳଙ୍କ ପୂର୍ବରୁ ମୃତ୍ୟୁ ଘଟିଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ବାଣପୁର ଥାନା ହଳନ୍ତରା ଗ୍ରାମର ପ୍ରଶାନ୍ତ ବିଶୋଇ ଗ୍ରାମର ଏକ କଂକ୍ରିଟ ରାସ୍ତା ନିର୍ମାଣ କରୁଥିଲେ । ଏହାକୁ ଅଭିଯୁକ୍ତମାନେ ବିରୋଧ କରିଥିଲେ । ୨୦୧୪ ଅକ୍ଟୋବର ୨୨ ତାରିଖରେ ଅଭିଯୁକ୍ତମାନେ ପ୍ରଶାନ୍ତଙ୍କ ଘରେ ପଶି ବୋମାମାଡ କରିଥିଲେ । ତେବେ ବୋମାମାଡ଼ରେ ପ୍ରଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ମୃତକ ପ୍ରଶାନ୍ତଙ୍କ ମାଆ କନ୍ଧୁଣୀ ବିଶୋଇ ବାଣପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବାଣପୁର ପୋଲିସ କେସ ନଂ ୩୧୧/୧୪ ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲା ବିଚାରାଧୀନ ଥିଲା । ତେବେ ଶୁକ୍ରବାର ଏହି ମାମଲାର ବିଚାର କରି ପ୍ରଥମ ଅତିରିକ୍ତ ଜିଲା ଓ ଦୌରାଜଜ୍ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପିପି ସଲିଳ ପ୍ରଧାନ ମାମଲାଟିକୁ ପରିଚାଳନା କରିଥିଲେ।